ଏଣିକି ଭାରତୀୟ ମହିଳା ପାଇଲଟ ଉଡାଇବେ ଚିନୁକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶର ସୁରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ | ଭାରତୀୟ ବାୟୁସେନା ବିଶ୍ୱରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ବର୍ତ୍ତମାନ ରାଫେଲ, ମିରାଜ୍, ମିଗ୍ ବିମାନ ଭଳି ଯୁଦ୍ଧ ବିମାନ ବାୟୁସେନାରେ ଥିବାବେଳେ ଏଥି ସହିତ, ଚିନୁକ୍ ହେଲିକପ୍ଟର ମଧ୍ୟ ବାୟୁସେନାର ଗର୍ବ ହୋଇ ରହିଆସିଛି | ତେବେ ବର୍ତ୍ତମାନ ଚିନୁକ୍ ହେଲିକପ୍ଟର ଉଡ଼ାଇବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ପାଇଲଟଙ୍କୁ ନିୟୋଜିତ କରାଯିବ | ସୂଚନା ମୁତାବକ ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି ।

ଏହି ଚିନୁକ୍ ୟୁନିଟ୍ ଗୁଡିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତୀୟ ସୈନ୍ୟମାନଙ୍କୁ ସହାୟତା ଯୋଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କ୍ୱାଡନ ଲିଡର ପାରୁଲ ଭରଦ୍ୱାଜ ଏବଂ ସ୍ଵାତି ରାଠୋର ଋଷ ଦ୍ୱାରା ନିର୍ମିତ ଏମଆଇ ୧୭ଭି୫ ହେଲିକପ୍ଟର ଉଡାଉଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଚଣ୍ଡିଗଡ଼ ଏବଂ ଆସାମର ମୋହନବାରୀରେ ଥିବା ଚିନୁକ୍ ୟୁନିଟକୁ ବଦଳି କରାଯାଇଛି | ସୂଚନା ଥାଉ କି ଆମେରିକାରୁ ଚିନୁକ୍ ହେଲିକପ୍ଟର ମିଳିଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହା ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା |

ବାୟୁସେନା ପାଖରେ ବର୍ତ୍ତମାନ ୧୫ଟି ଚିନୁକ୍ ହେଲିକପ୍ଟର ଥିବାବେଳେ ଏହି ବିମାନଟି ଏତେ ସ୍ୱତନ୍ତ୍ର ଯେ ଏହା ଯୁଦ୍ଧକ୍ଷେତ୍ରକୁ ଯୁଦ୍ଧାସ୍ତ୍ର ପରିବହନ ଏବଂ ସୈନ୍ୟଙ୍କୁ ନେବା ପାଇଁ ବ୍ୟବହୃତ ହୁଏ | ବାୟୁସେନା ଅଧିକାରୀଙ୍କ କହିବା ମୁତାବକ ଚିନୁକ୍ ହେଲିକପ୍ଟର ଚଳାଇବା ଅନ୍ୟ ହେଲିକପ୍ଟର ଉଡାଇବା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାକୁ ଅନ୍ୟ ହେଲିକପ୍ଟର ପରି ନିୟନ୍ତ୍ରଣ କରାଯାଇପାରିବ ନାହିଁ | ଏହାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ|

ସମ୍ବନ୍ଧିତ ଖବର