ଏବେ ଆୟୁର୍ବେଦ ଡାକ୍ତର କରିପାରିବେ ଅସ୍ତ୍ରୋପଚାର

ଆୟୁଷ ମନ୍ତ୍ରଣାଳୟର ନିଷ୍ପତ୍ତି, ସର୍ଜରି ଡାକ୍ତର ସଂଘର ବିରୋଧ

ନୂଆଦିଲ୍ଲୀ : ଆ‌ୟୁର୍ବେଦ ଡାକ୍ତରମାନେ ଏଣିକି ବିଭିନ୍ନ ପ୍ରକାର ରୋଗର ଅସ୍ତ୍ରୋପଚାର କରିପାରିବେ। ସାଧାରଣ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ଅସ୍ଥି, କର୍ଣ୍ଣ-ନାସା-ଗଳା (ଇଏନ୍‌ଟି), ଚକ୍ଷୁ ଏବଂ ଦାନ୍ତର ଅସ୍ତ୍ରୋପଚାର ଏହି ଡାକ୍ତରମାନେ କରିପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଗତ ୧୯ ତାରିଖରେ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ନିୟମାବଳି,୨୦୧୬ରେ ସଂଶୋଧନ ଅଣାଯାଇ ଆୟୁର୍ବେଦ ଡାକ୍ତରମାନଙ୍କ ସ୍ନାତକୋତ୍ତର ତାଲିମ ପାଠ୍ୟକ୍ରମରେ ଏସବୁ ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଶଲ୍ୟ ତନ୍ତ୍ର ଓ ଶାଲକ୍ୟ ତନ୍ତ୍ର ବିଭାଗରେ ସ୍ନାତକୋତ୍ତର ପାଠ ପଢ଼ିବା ସମ‌ୟରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଏନେଇ ତାଲିମ ଦିଆଯିବ। ସେମାନେ କିଭଳି ନିଜେ ଏହି ଅସ୍ତ୍ରୋପଚାର ସ୍ବାଧୀନ ଭାବେ କରିପାରିବେ ତାହାର ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ। ଉଲ୍ଲେଖଯୋଗ୍ୟ, ଶଲ୍ୟ ତନ୍ତ୍ର ପାଠ୍ୟକ୍ରମରେ ସାଧାରଣ ଅସ୍ତ୍ରୋପଚାର ଏବଂ ଶାଲକ୍ୟ ତନ୍ତ୍ର ପାଠ୍ୟକ୍ରମରେ କର୍ଣ୍ଣ-ନାସା-ଗଳା (ଇଏନଟି) ଅସ୍ତ୍ରୋପଚାର ତାଲିମ ଦିଆଯାଇଥାଏ। ଶଲ୍ୟ ତନ୍ତ୍ରରେ ଶରୀରର ନଷ୍ଟ ହୋଇଯାଇଥିବା‌ ଅଙ୍ଗକୁ କାଟି ବାହାର କରିବା, ଚମଡ଼ା ପ୍ରତିରୋପଣ କରିବା, ପେ‌ଟ ଏବଂ ଗ୍ୟାଷ୍ଟ୍ରିକ ଆଦିର ଅତ୍ୟାଧୁନିକ ଅସ୍ତ୍ରୋପଚାର ବିଷୟରେ ତାଲିମ ଦିଆଯିବ। ସେହିଭଳି ଶାଲକ୍ୟ ତନ୍ତ୍ରରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଇଏନ୍‌ଟି ସମେତ ଆଖିର ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ସଂକ୍ରାନ୍ତରେ ତାଲିମ ଦିଆଯିବ।

ତେବେ ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ (ସିସିଆଇଏମ୍‌)ର ସଭାପତି ଡା. ଜୟନ୍ତ ଦେଓପୂଜାରୀ କୁହନ୍ତି, ଏପ୍ରକାର ଅସ୍ତ୍ରୋପଚାର ଆୟୁ‌ର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନା ଗୁଡ଼ିକରେ ୨୫ ବର୍ଷରୁ ଊର୍ଧ୍ବ ସମୟ ହେଲା କରାଯାଉଛି। ତେବେ ଏହା କେବଳ ବୈଧ ବା ଆଇନ ସମ୍ମତ ବୋଲି ଉକ୍ତ ବିଜ୍ଞପ୍ତି ଦ୍ବାରା ସ୍ପଷ୍ଟ କରାଯାଇଛି। ସାଧାରଣ ଅସ୍ତ୍ରୋପଚାର ସମେତ ଇଏନ୍‌ଟି ଏବଂ ଚକ୍ଷୁର ଅସ୍ତ୍ରୋପଚାର ଆୟୁର୍ବେଦ ଡାକ୍ତରମାନେ ଗତ ୨୦ରୁ ୨୫ ବର୍ଷ ହେଲା କରି ଆସୁଛନ୍ତି। ଅସ୍ତ୍ରୋପଚାର ଓପିଡି ମଧ୍ୟ ରହିଛି। କିନ୍ତୁ ଦୀର୍ଘବର୍ଷ ହେଲା ଏହାର ଆଇନଗତ ଦିଗ ଉପରେ କେହି ଦୃଷ୍ଟି ଦେଇ ନଥିଲେ। ତେଣୁ ମନ୍ତ୍ରାଳୟ ଏବଂ ନିତି ଆୟୋଗ ସହ ବିଚାରବିମର୍ଶ ପରେ ଏହାକୁ ଲିଖିତ ଆକାରରେ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ଫଳରେ ଯେଉଁସବୁ ଅସ୍ତ୍ରୋପଚାର ପୂର୍ବରୁ ହୋଇଆସୁଛି ତାହା ଆଇନ ସମ୍ମତ ବୋଲି ଏହି ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।

କିନ୍ତୁ ଭାରତୀୟ ଅସ୍ତ୍ରୋପଚାର ଡାକ୍ତର ସଂଘର ସଭାପତି ଡା. ପି ରଘୁ କହିଛନ୍ତି, ସାଧାରଣ ଅସ୍ତ୍ରୋପଚାର ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ଅଂଶବିଶେଷ। ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଏହାକୁ ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ ନାହିଁ। ସ୍ନାତକୋତ୍ତର ଆୟୁର୍ବେଦ ପାଠ୍ୟକ୍ରମରେ ଅସ୍ତ୍ରୋପଚାର ତାଲିମ ଦିଆଯିବା ଦ୍ବାରା ଏମ୍‌ଏସ୍‌(ଆୟୁର୍ବେଦ) ଡାକ୍ତର ସୃଷ୍ଟି ହେବେ। ଏହାଦ୍ବାରା ରୋଗୀଙ୍କ ଚିକିତ୍ସାର ମୌଳିକ ଯତ୍ନ ଏବଂ ସୁରକ୍ଷାର ମାନ ପ୍ରତି ବିପଦ ଦେଖାଦେଇ ପାରେ ବୋଲି ଡା. ରାମ କହିଛନ୍ତି।

ସମ୍ବନ୍ଧିତ ଖବର