ନାଗରିକତା ସଂଶୋଧନ ବିଲ୍‌ : ଏବେ ରାଜ୍ୟସଭାରେ ଅଗ୍ନିପରୀକ୍ଷା

ଶିବସେନା, ଜେଡିୟୁ ଉପରେ ନଜର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ ଗତକାଲି ଲୋକସଭାରେ ଗୃହୀତ ହେବାପରେ ଏହାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆସନ୍ତାକାଲି ଏହାକୁ ରାଜ୍ୟସଭାରେ ଆଗତ କରାଯିବ। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣ ମୁସ୍‌ଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ଏହି ବିଲ୍ ରାଜ୍ୟସଭାରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇପାରେ। ଲୋକସଭାରେ ସଂଖ୍ୟାଗରିଷ୍ଠତା ଯୋଗୁଁ ସରକାର ୩୧୧-୮୦ ଭୋଟ୍‌ରେ ବିଲ୍‌କୁ ଗୃହୀତ କରାଇଥିଲେ। ତେବେ ରାଜ୍ୟସଭାରେ ଗଣିତ ଭିନ୍ନ ରହିଛି। ଏହି ବିଲ୍‌ ଅନୁମୋଦନ ପାଇଁ ଶାସକ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।

ଏନ୍‌ଡିଏ ମେଣ୍ଟର ୧୦୬ ରାଜ୍ୟସଭା ସାଂସଦ ଥିବା ବେଳେ ଏଥିରୁ ଜେଡିୟୁ ରାଜ୍ୟସଭାରେ ବିଲ୍‌କୁ ବିରୋଧ କରିପାରେ ବୋଲି ଆଜି ସଙ୍କେତ ମିଳିଛି। ଏନ୍‌ଡିଏର ସବୁଠାରୁ ବଡ଼ ଅଂଶୀଦାର ଦଳ ବିଜେପିର ରାଜ୍ୟସଭାରେ ୮୩ ସାଂସଦ ଅଛନ୍ତି। ସହ‌େଯାଗୀ ଜେଡିୟୁର ୬, ଅକାଳି ଦଳର ୩, ଆର୍‌ପିଆଇର ୧ ଏବଂ ଅନ୍ୟ ଦଳର ୧୩ ଜଣ ସଦସ୍ୟ ଅଛନ୍ତି। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟ ୟୁପିଏରେ ୬୨ ସାଂସଦ ଅଛନ୍ତି। କଂଗ୍ରେସର ୪୬ ସାଂସଦ ଥିବା ବେଳେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ଏବଂ ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଲେଖାଏଁ ସାଂସଦ ଅଛନ୍ତି। ଡିଏମ୍‌କେର ୫ ଏବଂ ଅନ୍ୟ ଦଳର ୩ ଜଣ ସାଂସଦ ଅଛନ୍ତି। ବିଲ୍‌କୁ ବିରୋଧ କରୁଥିବା ଅଣମେଣ୍ଟ ଦଳର ସଦସ୍ୟଙ୍କ ସଂଖ୍ୟା ହେଉଛି ୪୪। ଏଥିରେ ଟିଏମ୍‌ସିର ସର୍ବାଧିକ ୧୩ ଜଣ ସାଂସଦ ଥିବା ବେଳେ ସମାଜବାଦୀ ପାର୍ଟିର ୯, ଟିଆର୍‌ଏସ୍‌ର ୬, ସିପିଏମ୍‌ର ୫ ଏବଂ ବିଏସ୍‌ପିର ୪ ଜଣ ସାଂସଦ ଅଛନ୍ତି। ସେହିଭଳି ବିଲ୍‌କୁ ସମର୍ଥନ କରୁଥିବା ଅନ୍ୟ ମେଣ୍ଟ ଦଳର ସଦସ୍ୟଙ୍କ ସଂଖ୍ୟା ହେଉଛି ୨୮। ଏଥିରେ ବିଜେଡିର ୭, ଶିବସେନାର ୩, ୱାଇଏସ୍‌ଆର୍‌ସିପିର ୨, ଟିଡିପିର ୨ ଏବଂ ଅନ୍ୟ ଦଳର ୩ ଜଣ ଲେଖାଏଁ ସାଂସଦ ଅଛନ୍ତି।
ରାଜ୍ୟସଭାର ମୋଟ ଆସନ କ୍ଷମତା ୨୪୫ ଥିବା ବେଳେ ବର୍ତ୍ତମାନର ସଂଖ୍ୟା ହେଉଛି ୨୪୦। ତେଣୁ ବିଲ୍‌କୁ ଗୃହୀତ କରାଇବାକୁ ହେଲେ ୧୨୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ଆଜି ଶିବସେନା ଏବଂ ଜେଡିୟୁ ବିଲ୍‌କୁ ନେଇ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବାରୁ ସରକାର ରାଜ୍ୟସଭାରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଯାଇଛି। ଲୋକସଭାରେ ବିଲକୁ ସମର୍ଥନ କରିଥିବା ଶିବସେନା ଆଜି ଏହାର ମତ ବଦଳାଇଛି। ସେହିଭଳି ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ମତ ବଦଳାଇପାରେ ବୋଲି କୁହାଯାଉଛି।

ତେବେ ବିଜେପି ନେତାମାନଙ୍କର ବିଶ୍ବାସ ଯେ ଏହି ବିଲ୍‌ ରାଜ୍ୟସଭାର ଅନୁମୋଦନ ଲାଭ କରିବାରେ କୌଣସି ଅସୁବିଧା‌ ହେବନାହିଁ। ଏହି ଗୃହରେ ଏନ୍‌ଡିଏର ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ତିନି ତଲାକ ବିଲ୍ ଭଳି ବିଧେୟକ ପାସ୍ ହୋଇଥିଲା। ନାଗରିକତା ବିଲ୍ ମଧ୍ୟ ଗୃହୀତ ହୋଇଯିବ। ଅନ୍ୟପକ୍ଷ‌େର ବିଜେପିର ରଣନୀତି ଏବଂ କେତେକ ନିରପେକ୍ଷ ଦଳଙ୍କ ମନୋଭାବ ଯୋଗୁଁ ବି‌ରୋଧୀ ଶିବିର ମଧ୍ୟ ଉତ୍ସାହିତ ନୁହେଁ।

ସମ୍ବନ୍ଧିତ ଖବର