ଏବେ ପ୍ରତି ଭାରତୀୟଙ୍କ ପାଇଁ ସଂରକ୍ଷଣ!

O ୯୫ ପ୍ରତିଶତ ଭାରତୀୟ ପରିବାରଙ୍କ ଆୟ ୮ ଲକ୍ଷ ତଳେ O ୮୬.୨ ପ୍ରତିଶତ ଜମି ମାଲିକଙ୍କ ପାଖରେ ୨ ହେକ୍ଟରରୁ କମ୍‌ ଜମି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବେ ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ ଲାଗୁ ନେଇ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ୮ ଲକ୍ଷରୁ କମ୍‌ ଆୟ ବର୍ଗର ଲୋକଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାପାଇଁ ସରକାରଙ୍କ ଘୋଷଣା ସହିତ ଏବେ ଭାରତରେ ପ୍ରାୟ ସବୁ ବର୍ଗର ଲୋକଙ୍କୁ କୌଣସି ନା କୌଣସି ମାପକାଠିରେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ। ଭାରତରେ ପୂର୍ବରୁ ଜାତି ଆଧାରରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ପରିବାରର ଆୟ ୮ ଲକ୍ଷ ମଧ୍ୟରେ ରହିବା ନେଇ ଯେଉଁ ସୀମା ନିର୍ଦ୍ଧାରଣ କରାଯାଇଛି ସେଥିରେ ପ୍ରାୟ ୯୫ ପ୍ରତିଶତ ଜନସଂଖ୍ୟା ଆସୁଥିବା ଆୟକର ବିଭାଗ ତଥ୍ୟରୁ ଜଣାପଡ଼ିଛି। ୮ ଲକ୍ଷ ଟଙ୍କା ବାର୍ଷିକ ଆୟର ଅର୍ଥ ହେଉଛି ଯଦି ଗୋଟିଏ ପରିବାରରେ ୫ ଜଣ ବ୍ୟକ୍ତି ଅଛନ୍ତି, ତା’ହେଲେ ପ୍ରତି ବ୍ୟକ୍ତିଙ୍କ ଆୟ ୧୩ ହଜାର ଟଙ୍କାରୁ ସାମାନ୍ୟ ଅଧିକ ହେବ। ଏନ୍‌ଏସ୍‌ଏସ୍‌ଓ ସର୍ଭେ ୨୦୧୧-୧୨ ଅନୁସାରେ ପ୍ରତି ମାସରେ ଗ୍ରାମୀଣ କ୍ଷେତ୍ରରେ ପ୍ରତି ବ୍ୟକ୍ତିଙ୍କ ଆୟ ୨୬୨୫ ଟଙ୍କା ଏବଂ ସହରାଞ୍ଚଳ କ୍ଷେତ୍ରରେ ଏହା ପ୍ରାୟ ୬୦୧୫ ଟଙ୍କା। ଆର୍ଥିକ ଆଧାରରେ ୧୦ ପ୍ରତିଶତ ସଂରକ୍ଷଣ ଯଦି ଲାଗୁ ହେବ ତା’ହେଲେ ୯୫ ପ୍ରତିଶତ ପରିବାର ଏହାର ସୁବିଧା ପାଇବେ ଏବଂ ମାତ୍ର ୫ ପ୍ରତିଶତ ପରିବାର ହିଁ ଏଥିରୁ ବାହାରେ ରହିବେ।

ଦେଶର ୨୩ ନିୟୁତ ଲୋକଙ୍କ ଆୟ ୪ ଲକ୍ଷ ଟଙ୍କାରୁ ଅଧିକ
୨୦୧୬-୧୭ରେ କେବଳ ୨୩ ନିୟୁତ ଲୋକ ହିଁ ନିଜ ଆୟ ୪ ଲକ୍ଷ ଟଙ୍କାରୁ ଅଧିକ ଥିବା ଘୋଷଣା କରିଛନ୍ତି। ଯଦି ଏହାକୁ ଗ୍ରହଣ କରାଯିବ ଏବଂ ପରିବାର ପିଛା ୨ ଜଣ ରୋଜଗାରିଆ ଲୋକଙ୍କୁ ଧରାଯିବ ଯାହାଙ୍କ ଆୟ ୪ ଲକ୍ଷ ଟଙ୍କାରୁ ଅଧିକ ରହିଥିବ, ତା’ହେଲେ ୧ କୋଟି ପରିବାର ହିଁ ୮ ଲକ୍ଷ ଟଙ୍କାରୁ ଅଧିକ ଆୟ ଶ୍ରେଣୀରେ ରହିବେ। ଜନସଂଖ୍ୟା ଆଧାରରେ ଏହା ମାତ୍ର ୪ ପ୍ରତିଶତ ହେବ।

ମୁଣ୍ଡ ପିଛା ଆୟ ୧.୨୫ ଲକ୍ଷ
ସରକାର ସୋମବାର ଜାରି କରିଥିବା ରିପୋର୍ଟ ମୁତାବକ ଦେଶରେ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାରାହାରି ଆୟ ୧.୨୫ ଲକ୍ଷ। ଯଦି କୌଣସି ପରିବାରରେ ୫ ଜଣ ରୋଜଗାର କରୁଛନ୍ତି ତେବେ ଏହା ୬.୨୫ ଲକ୍ଷ ଟଙ୍କା ବାର୍ଷିକ ହେବ। ଏଭଳି ପରିବାରଙ୍କୁ ଏବେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ। ଜାତୀୟ ମୁଣ୍ଡ ପିଛା ଆୟଠାରୁ ଅଧିକ ତଥା ୮ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ପରିବାରଙ୍କୁ ସଂରକ୍ଷଣ ସୁବିଧା ମିଳିବ ନାହିଁ। ସରକାରଙ୍କ କହିବା ଅନୁଯାୟୀ ୮ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କୁ ଗରିବ କୁହାଯାଇପାରିବ ନାହିଁ।

ଜମି ମାଲିକଙ୍କ କ୍ଷେତ୍ରରେ ବି ସଂରକ୍ଷଣର ବ୍ୟାପକ ସୁଯୋଗ
ସଂରକ୍ଷଣ ସୁବିଧା ହାସଲ କରିବା ପାଇଁ ଜମି ମାଲିକଙ୍କ କ୍ଷେତ୍ରରେ ଯେଉଁ ମାପକାଠି ସ୍ଥିର ହୋଇଛି, ସେହି ପରିସରରେ ମଧ୍ୟ ଜନସଂଖ୍ୟାର ଏକ ବଡ଼ ଭାଗ ସଂରକ୍ଷଣ ସୁବିଧା ପାଇପାରିବେ। ୨୦୧୫-୧୬ର ତଥ୍ୟ ମୁତାବକ ଭାରତରେ ୮୬.୨ ପ୍ରତିଶତ ଜମି ମାଲିକଙ୍କ ପାଖରେ ୨ ହେକ୍ଟରରୁ କମ୍‌ ଜମି ରହିଛି।
୮୦ରୁ ୯୦ ପ୍ରତିଶତ ଲୋକଙ୍କ ଘର ନିର୍ଦ୍ଧାରିତ ମାପକାଠିରେ ଆସିବ
ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅନୁଯାୟୀ ଭାରତରେ ଧନୀ ବୋଲି କୁହାଯାଉଥିବା ୨୦ ପ୍ରତିଶତ ଜନସଂଖ୍ୟାର ଘରର ଆକାର ୪୫.୯୯ ବର୍ଗ ମିଟରରୁ ମଧ୍ୟ କମ୍‌। ଏହାର ଅର୍ଥ ୫୦୦ ବର୍ଗ ଫୁଟରୁ ଛୋଟ ଘରେ ଭାରତର ଅଧିକାଂଶ ପରିବାର ରହିଥାନ୍ତି। ଏହି ଆଧାରରେ ଦେଶର ୮୦ରୁ ୯୦ ପ୍ରତିଶତ ଲୋକ ସଂରକ୍ଷଣର ସୁବିଧା ହାସଲ କରିବାକୁ ସକ୍ଷମ ହେବେ।

ସମ୍ବନ୍ଧିତ ଖବର