ରାଜସ୍ଥାନ ସଙ୍କଟ: ଏବେ ଲଢ଼େଇ ଅଦାଲତରେ, ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ଆଜି

ଦଳ ବଦଳ ଆଇନ ବିରୋଧରେ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ

ଜୟପୁର: ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ଲାଗି ରହିଥିବା ରାଜନୈତିକ ଝକାପଂଝା ଆଜି ଆହୁରି ତୀବ୍ର ହୋଇଛି । ବିଦ୍ରୋହୀ ବିଧାୟକମାନଙ୍କୁ ବିଧାନସଭାର ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷଣା ନିମନ୍ତେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ମାଧ୍ୟମରେ ସଚିନ ପାଇଲଟ୍‌ଙ୍କ ସମେତ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍‌ କରାଯାଇଛି। ତେବେ ଏହା ବିରୋଧରେ ବିଦ୍ରୋହୀ ବିଧାୟକମାନେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପାଇଲଟ୍‌ଙ୍କ ସମର୍ଥକ ବିଧାୟକ ପୃଥ୍ବୀରାଜ ମିନା ବାଚସ୍ପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଂଜ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଥିଲା, କିନ୍ତୁ ଆବେଦନକାରୀମାନେ ଆବେଦନରେ ସଂଶୋଧନ ପାଇଁ ସମୟ ମାଗିଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି। ଏହି ମାମଲା ନେଇ ଡିଭିଜନ ବେଞ୍ଚ୍‌ରେ ଆସନ୍ତାକାଲି ଅପରାହ୍ନ ୧ଟାରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ପାଇଲଟ୍‌ ଗୋଷ୍ଠୀ ପକ୍ଷରୁ ହାଇକୋର୍ଟରେ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରୀଶ ସାଲ୍‌ଭେ କହିଛନ୍ତି ଯେ ଆବେଦନକାରୀଙ୍କ ଦ୍ବାରା ସମ୍ବିଧାନର ୧୦ମ ଅନୁସୂଚୀରେ ଥିବା ଦଳ ବଦଳ ବିରୋଧ ଆଇନକୁ ଚ୍ୟାଲେଂଜ କରାଯାଇଛି। ବିଧାନସଭା ବାହାରେ ହୋଇଥିବା ଘଟଣା ପାଇଁ ବାଚସ୍ପତି ଏଭଳି ନୋଟିସ ଜାରି କରିପାରିବେ ନାହିଁ ବୋଲି ସେ କହିଛନ୍ତି। ହାଇକୋର୍ଟ ଆବେଦନରେ ଏଭଳି ସଂଶୋଧନକୁ ଗ୍ରହଣ କରିଛନ୍ତି ଏବଂ ଦୁଇ ଜଣିଆ ଖଣ୍ଡପୀଠ ମାଧ୍ୟମରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି। ବିଧାନସଭା ବାଚସ୍ପତି ଯୋଶୀଙ୍କ ପାଇଁ ପ୍ରତିନିଧିତ୍ବ କରୁଥିବା ଓକିଲ ପ୍ରତୀକ କାସଲିୱାଲ କହିଛନ୍ତି ଯେ ଆବେଦେନକାରୀ ବାଚସ୍ପତିଙ୍କ ନୋଟିସ୍‌ ବଦଳରେ ରାଜସ୍ଥାନ ବିଧାନସଭା ସଦସ୍ୟଙ୍କ ଦଳ ବଦଳ ଆଇନ ୧୯୮୯କୁ ଚ୍ୟାଲେଂଜ କରି ମାମଲାକୁ ନୂଆ ମୋଡ଼ ଦେଇଛନ୍ତି। ଏହା ପୂର୍ବରୁ ବାଚସ୍ପତି ୧୪ ଜୁଲାଇରେ କଂଗ୍ରେସ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଧାରରେ ୧୯ କଂଗ୍ରେସ ବିଧାୟକଙ୍କୁ ନୋଟିସ୍‌ ଜାରି କରିଥିଲେ। ଏହି ବିଧାୟକମାନେ ସ୍ବେଚ୍ଛାକୃତ ଭାବେ କଂଗ୍ରେସ ଦଳର ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି ଏବଂ ସେମାନେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଦଳ ବଦଳ ଆଇନର ଧାରା ୨ (୧)ରେ ଥିବା ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ତତ୍କାଳ ଅଯୋଗ୍ୟ ଘୋଷଣା କରାଯାଉଥିବା ଏଥିରେ ଉଲ୍ଲେଖ ଥିଲା।

ସିଙ୍ଗଭି ବନାମ ସାଲ୍‌ଭେ
ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ଦେଖାଦେଉଥିବା ରାଜନୈତିକ ବିବାଦ ଏବେ ନ୍ୟାୟିକ ଯୁଦ୍ଧରେ ରୂପାନ୍ତରିତ ହୋଇ ଅଦାଲତରେ ପହଞ୍ଚିଛି। ତେବେ ରାଜସ୍ଥାନ ହାଇକୋର୍ଟରେ ପହଞ୍ଚିଥିବା ଏହି ମାମଲା ଏବେ ବେଶ୍‌ ରୋଚକ ମୋଡ଼ ନେଇଛି। ପରିବର୍ତ୍ତିତ ପରିସ୍ଥିତିରେ ଗେହଲଟ୍‌-ପାଇଲଟ୍‌ ନ୍ୟାୟିକ ଯୁଦ୍ଧ ସିଙ୍ଗଭି-ସାଲ୍‌ଭେ ରୂପରେ ଆତ୍ମପ୍ରକାଶ କରିବ। କାରଣ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ପକ୍ଷ ରଖିବାକୁ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଗଭି ନିଯୁକ୍ତ ହୋଇଥିବା ବେଳେ ସଚିନ୍‌ଙ୍କ ପାଇଁ ପୂର୍ବତନ ସଲିସିଟର ଜେନେରାଲ ହରୀଶ ସାଲ୍‌ଭେ ଲଢ଼ିବେ ବୋଲି ଜଣାଯାଇଛି। ନିଜର ନାମ ଗୋପନ ରଖି ଜଣେ ସଚିନ୍‌ ସମର୍ଥକ କହିଛନ୍ତି ଯେ ରାଜସ୍ଥାନ ହାଇକୋର୍ଟର ରାୟକୁ ସେମାନେ ଅପେକ୍ଷା କରିଛନ୍ତି। ଆବଶ୍ୟକ ପଡ଼ିଲେ ତାହାକୁ ସେମାନେ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ୍‌ କରିବେ ବୋଲି ସେ କହିଛନ୍ତି। ଅବଶ୍ୟ ଏହି ମାମଲାରେ ନିଜର ପକ୍ଷ ରଖିବା ଲାଗି ସଚିନ୍‌ ପ୍ରଥମେ ଆଇନଜୀବୀ ସିଙ୍ଗଭିଙ୍କ ପାଖରେ ପହଞ୍ଚିଥିଲେ। ମାତ୍ର ତାହା ପୂର୍ବରୁ ଗେହଲଟ୍ ତାଙ୍କୁ ନିଯୁକ୍ତ କରିସାରିଥିବା ଜାଣିଲା ପରେ ସଚିନ୍‌ଙ୍କ ପରବର୍ତ୍ତୀ ବିକଳ୍ପ ସାଲଭେ ହୋଇଥିଲେ। ୧୯୯୯ ମସିହାରୁ ୨୦୦୨ ମସିହା ଯାଏ ତତ୍କାଳୀନ ଏନ୍‌ଡିଏ ସରକାରରେ ଶୀର୍ଷ ନ୍ୟାୟିକ ଅଧିକାରୀ ଥିବା ସାଲ୍‌ଭେ ଏବେ ଲଣ୍ଡନରେ ଅବସ୍ଥାପିତ। କୂଳଭୂଷଣ ଯାଦବ ମାମଲାରେ ସେ ପାକିସ୍ତାନ ବିରୋଧରେ ଆନ୍ତର୍ଜାତିକ ଅଦାଲତରେ ଭାରତର ପକ୍ଷ ରଖିଥିଲେ।

ସମ୍ବନ୍ଧିତ ଖବର