ଏଥର ନିର୍ଣ୍ଣାୟକ ଲଢ଼େଇ, ସର୍ବଦଳୀୟ ବୈଠକରେ ତିନି ସୂତ୍ରୀ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ପୁଲୱାମା ଆକ୍ରମଣ ଏବଂ ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା ହୋଇଛି। ବୈଠକରେ ରାଜନାଥ କହିଥିଲେ ଯେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଦେଶ ଏକ୍‌ଜୁଟ ‌ରହିଛି ଏବଂ ଏବେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ। ଜମ୍ମୁ କଶ୍ମୀରରେ ସଂପୂର୍ଣ୍ଣ ସ୍ବାଭାବିକ ସ୍ଥିତି ଫେରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯିବ ଏବଂ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଅହରହ ଅଭିଯାନ ଚାଲିବ ବୋଲି ସେ କହିଛନ୍ତି। ଏହି ମାମଲାରେ ସରକାର ଏବଂ ସେନା ପଛରେ ସମସ୍ତ ବିରୋଧୀ ଦଳଙ୍କ ଦୃଢ଼ ସମର୍ଥନ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ବୈଠକ ପରେ କହିଛନ୍ତି। ବୈଠକ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ନରେନ୍ଦ୍ର ତୋମର କହିଛନ୍ତି ଯେ କଶ୍ମୀରର ସାଧାରଣ ଜନତା ରାଜ୍ୟରେ ଶାନ୍ତି ଚାହୁଛନ୍ତି ଏବଂ ଏବଂ ଦେଶର ଭାବନା ସହିତ ଏକଜୁଟ ଅଛନ୍ତି। ତେବେ ରାଜ୍ୟରେ ଏଭଳି କେତେକ ଶକ୍ତି ଅଛନ୍ତି ଯେଉଁମାନେ ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛନ୍ତି ଏବଂ ସେମାନଙ୍କୁ ସୀମା ଆରପଟୁ ସମସ୍ତ ପ୍ରୋତ୍ସାହନ ମିଳୁଛି। ତେବେ ଦେଶ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିବା ସେ କହିଛନ୍ତି। ଏହି ବୈଠକରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବରୁ ନୀରବ ପ୍ରାର୍ଥନା କରାଯାଇଥିଲା। ୧୪ ଫେବ୍ରୁଆରି ପୁଲୱାମା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯିବା ସହ ଶୋକପ୍ରସ୍ତାବରେ କୁହାଯାଇଛି ଯେ ଦେଶର ଏହି ଦୁଃଖଦ ସମୟରେ ସହିଦ ପରିବାରଙ୍କ ପଛରେ ସମଗ୍ର ଦେଶ ଏକଜୁଟ୍‌ ରହିଛି। ସୀମାପାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରାଯିବା ସହ ଏହାର ଜବାବ ଦେବାକୁ ଦେଶ ସଂକଳ୍ପ ନେଇଛି ବୋଲି ପ୍ରସ୍ତାବରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର