ଟ୍ରେନ ବିଳମ୍ବ ହୋଇ ମଧ୍ୟାହ୍ନ ଭୋଜନ ସମୟରେ ଯାତ୍ରା କରୁଥିଲେ ଯାତ୍ରୀମାନଙ୍କୁ ପାଣି ଏବଂ ଖାଦ୍ୟ ଦିଆଯିବ : ପୀୟୁଷ ଗୋଏଲ

ନୂଆଦିଲ୍ଲୀ : କିଛି ଦିନ ମଧ୍ୟରେ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ପରେ ତତ୍ପର ହୋଇ ଉଠିଛି ରେଳ ମନ୍ତ୍ରାଳୟ । କିଭଳି ଭାବରେ ପୁଣି ଥରେ ଯାତ୍ରୀମାନଙ୍କ ଭରସା ରେଳବାଇ ଉପରେ ଆସିବ ସେ ନେଇ ଅନେକ ନିୟମରେ ପରିବର୍ତ୍ତନ ଆଣିଛି ରେଳ ମନ୍ତ୍ରାଳୟ । ପ୍ଲାଟ୍‌ଫର୍ମକୁ କିପରି ସଫା ରଖାଯିବ ଏବଂ ଯାତ୍ରୀମାନଙ୍କୁ କିଭଳି ଭାବରେ ସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯିବ ସେ ନେଇ କଡ଼ା ନିୟମ ପ୍ରଣୟନ କରିଛି ରେଳ ମନ୍ତ୍ରାଳୟ । କିଛି ଦିନ ତଳେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଯାଉଥିବା ଖାଦ୍ୟର ଲାଇଭ୍‌ ଭିଡ଼ିଓ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ମଧ୍ୟାହ୍ନ ଭୋଜନ ସମୟରେ ଟ୍ରେନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ ।

 

Hindustan Times

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପୀୟୁଷ ଗୋଏଲ ଏହି ଘୋଷଣା କରିଥିବା ଜଣାପଡ଼ିଛି । ଯେତେବେଳେ ବି କୌଣସି ଟ୍ରେନ୍‌ ବିଳମ୍ବ ହେତୁ ମଧ୍ୟାହ୍ନ ଭୋଜନ ସମୟରେ ଯାତ୍ରା କରୁଛି,ସେ ସମୟରେ ଯାତ୍ରୀଙ୍କୁ ଭୋଜନ ଏବଂ ପାଣି ଯୋଗାଇ ଦିଆଯିବ ।  ଯାତ୍ରୀ ଆଗରୁ ମଧ୍ୟାହ୍ଣ ଭୋଜନ ପୂର୍ବରୁ ଗନ୍ତବ୍ୟରେ ପହଞ୍ଚିବାକୁ ଥିବା ଟ୍ରେନରେ ଭୋଜନ ପାଉ ନ ଥିଲେ, ବାହାରୁ କିଣି ଖାଉଥିଲେ। ଏବେ ରେଳ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏଥିସହ ସେ କହିଛନ୍ତି କି, ପ୍ଲାଟ୍‌ଫର୍ମ ଏବଂ ରେଳ ଟ୍ରାକ୍‌କୁ ସଫା ରଖିବା ପାଇଁ ଚେଷ୍ଟା ଜୋରସୋରରେ ଆରମ୍ଭ ହୋଇଛି । ପୂର୍ବ ଭଳି ଏହି ନୂଆ ପଦକ୍ଷେପକୁ ପରିଚାଳନା କରିବାରେ ଆମେ ସଫଳ ହେବୁ ବୋଲି ଆଶା ରଖିଛୁ । ଏ ନେଇ ଆମେ ଯାତ୍ରୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ସେମାନଙ୍କୁ ଏହି କାମରେ ଯୋଡ଼ିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ ପୀୟୁଷ ଗୋଏଲ ।

ସମ୍ବନ୍ଧିତ ଖବର