‘ଜିଏନ୍‌ସିଟି ଆକ୍ଟ୍‌’ ସଂଶୋଧନ କଲେ କେନ୍ଦ୍ର ସରକାର: ଏବେ ଦିଲ୍ଲୀ ‘ସରକାର’ ଅର୍ଥ ‘ଉପରାଜ୍ୟପାଳ’

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟୋରି ଅଫ୍‌ ଦିଲ୍ଲୀ ଆକ୍ଟ୍‌ ୨୦୨୧’ ସଂଶୋଧନ କରିବା ପରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ସମ୍ପ୍ରତି ଏହି କେନ୍ଦ୍ରଶାସିତ ଅଞ୍ଚଳର ‘ସରକାର’ ହେଲେ ‘ଉପରାଜ୍ୟପାଳ’।

ଜାତୀୟ ସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଜାରି କରିଥିବା ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ବିଜ୍ଞାପିତ ହୋଇଥିବା ଦିଲ୍ଲୀର ‘ଏନ୍‌ସିଟି’ ସରକାରର ସଂଶୋଧିତ ଆକ୍ଟ୍‌ ୨୦୨୧ ଏପ୍ରିଲ୍‌ ୨୭ ତାରିଖରୁ ଲାଗୁ ହୋଇଛି। ଏବେ ଦିଲ୍ଲୀର ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଏ।

ପ୍ରକାରାନ୍ତରେ କହିବାକୁ ଗଲେ, କେନ୍ଦ୍ରର ପ୍ରତିନିଧି ତଥା ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ୍‌ଙ୍କର କ୍ଷମତା ଏବେ ‘ଏନ୍‌ସିଟି’ର ନିର୍ବାଚିତ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଠାରୁ ଅଧିକ।

Image Courtesy of Zee News

ଗୃହ ବ୍ୟାପାର ମନ୍ତ୍ରାଳୟଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ସମ୍ପ୍ରତି ଦିଲ୍ଲୀର ‘ସରକାର’ କହିଲେ ‘ଉପରାଜ୍ୟପାଳ’। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହର କରିବା ପୂର୍ବରୁ ସହରର ସରକାର ତାଙ୍କ ମତାମତ ଲୋଡ଼ିବେ।

ଦିଲ୍ଲୀର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେବା ଲାଗି ଆଗତ ବିବାଦୀୟ ଆଇନକୁ ଗତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ଦେଇଥିଲେ।

ଦିଲ୍ଲୀରେ ନିର୍ବାଚିତ ‘ଆମ୍‌ ଆଦ୍‌ମି ପାର୍ଟି’ ସରକାରଙ୍କ ଧ୍ୱଂସ ସାଧନ କରୁଛି ବୋଲି କୁହାଯାଉଥିବା ଏହି ଆଇନକୁ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିଥିଲେ। ସେମାନେ ଏହାକୁ ‘ଅଗଣତାନ୍ତ୍ରିକ ଏବଂ ଅସମ୍ବିଧାନିକ’ ବୋଲି ଅଭିହିତ କରିଥିଲେ।

ସମ୍ବନ୍ଧିତ ଖବର