ଅଙ୍କାରା : ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଦୋଗନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଇସ୍ରାଏଲ ମଧ୍ୟ ତାଙ୍କ ଦେଶ ଉପରେ ଆକ୍ରମଣ କରିପାରେ କାରଣ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଏହି ଦିଗ ପ୍ରତି ଦୃଷ୍ଟି ରଖିଛନ୍ତି। ଏର୍ଦୋଗନ୍ କହିଛନ୍ତି ଯେ ଏଥର ଲେବାନନରେ ଇସ୍ରାଏଲ୍ ସେନାର ଗ୍ରାଉଣ୍ଡ ଅପରେସନର ଫଳାଫଳ ପୂର୍ବ ଆକ୍ରମଣଠାରୁ ଭିନ୍ନ ହେବ କାରଣ ଗାଜା ଏବଂ ବେରୁଟ ପରେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାର ମଧ୍ୟ ତୁର୍କୀକୁ ଟାର୍ଗେଟ କରିବାର ଆଶଙ୍କା ରହିଛି।
ଲେବାନନରେ ଗ୍ରାଉଣ୍ଡ ଅପରେସନର ପରିଣାମ ଇସ୍ରାଏଲର ପୂର୍ବ ଦଖଲ ସହିତ ସମାନ ହେବ ନାହିଁ ବୋଲି ଆନାଦୋଲୁ ଏଜେନ୍ସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାର କାରଣ ହେଉଛି ଇସ୍ରାଏଲର ଆକାଂକ୍ଷା ପାଲେଷ୍ଟାଇନ ଏବଂ ଲେବାନନ୍ ଅତିକ୍ରମ କରିଛି। ଇସ୍ରାଏଲ୍ ସରକାର ଏବଂ ସେନା ଏବେ ତୁର୍କୀକୁ ଟାର୍ଗେଟ କରିବାର ଯଥେଷ୍ଟ ଆଶା ରହିଛି।
ଏର୍ଦୋଗନ୍ କହିଛନ୍ତି ଯେ ଇସ୍ରାଏଲର ଆକ୍ରୋଶ ତୁର୍କୀ ପାଇଁ ସିଧାସଳଖ ବିପଦ କିନ୍ତୁ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଦେଶର ସୁରକ୍ଷା ତଥା ଏହାର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମ ସରକାର ସମସ୍ତ ଉପାୟ ଅବଲମ୍ବନ କରିବେ। ସେ କହିଛନ୍ତି ଇସ୍ରାଏଲର ଆକ୍ରମଣର ଉପଯୁକ୍ତ ମୁକାବିଲା କରାଯିବ।
ତୁର୍କୀ ରାଷ୍ଟ୍ରପତି କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଇସ୍ରାଏଲ ଚାହୁଁଛି। ଉତ୍ତର ଇରାକ ତଥା ସିରିଆରେ ବିଚ୍ଛିନ୍ନତାବାଦୀଙ୍କ ହଟାଇ ଛୋଟ ସାଟେଲାଇଟ୍ ସ୍ଥାପିତ କରିବା ଇସ୍ରାଏଲର ରଣନୀତି ଉପରେ ମଧ୍ୟ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ସ୍ଥିତି ଆମ ଦେଶ ପାଖରେ ଘଟୁଛି।
ଗାଜା ଏବଂ ଲେବାନନରେ ଇସ୍ରାଏଲର ଆକ୍ରମଣକୁ ଏର୍ଦୋଗନ୍ ଦୃଢ଼ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଗାଜାରେ ଯାହା ଘଟୁଛି ତାହା ହେଉଛି ନରସଂହାର। ଲେବାନନରେ ମଧ୍ୟ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି।
ଗତ ବର୍ଷ ଠାରୁ ଗାଜାରେ ଚାଲିଥିବା ଯୁଦ୍ଧ ବିଷୟରେ ଉଲ୍ଲେଖ କରି ଏର୍ଦୋଗନ୍ କହିଛନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱରେ ଗତ ୫୧ ସପ୍ତାହ ମଧ୍ୟରେ ଯାହା ଘଟିଛି। ଏହା ହିଟଲରଙ୍କ ଅତ୍ୟାଚାରଠାରୁ ମଧ୍ୟ ବଡ଼ଧରଣର ହୋଇଯାଇଛି। ଇସ୍ରାଏଲ ସିଧାସଳଖ ମାନବିକତା ବିରୁଦ୍ଧରେ ସମସ୍ତ ଅପରାଧ କରିଛି।
ତୁର୍କୀ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି, ଯଦି ଜାତିସଂଘ ସୁରକ୍ଷା ପରିଷଦ ଗାଜା ଏବଂ ଲେବାନନରେ ଇସ୍ରାଏଲର ଆକ୍ରମଣକୁ ରୋକିବାରେ ସଫଳ ନ ହୁଏ ତେବେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଉଚିତ୍। ସେ କହିଛନ୍ତି, ଯଦି ଇସ୍ରାଏଲକୁ ରୋକା ନ ଯାଏ ତେବେ ମିଳିତ ଜାତିସଂଘର ସାଧାରଣ ସଭାରେ ଇସ୍ରାଏଲ ବିରୋଧରେ ସାମରିକ ବଳ ପ୍ରୟୋଗ କରିବା ପାଇଁ ସୁପାରିଶ କରିବା ଉଚିତ୍।