ଏବେ କେନ୍ଦ୍ରୀୟ ଅନୁଦାନ ମିଳିବା କଷ୍ଟକର ହେବ

କଠୋର ହେଲା ନିୟମ, ରିଜର୍ଭ ବ୍ୟାଙ୍କର ଭୂମିକା ରହିବ

ନୂଆଦିଲ୍ଲୀ : ସଂଘୀୟ ବ୍ୟବସ୍ଥାରେ ପରିଚାଳିତ ରାଜ୍ୟଗୁଡ଼ିକର କ୍ଷମତା ଧୀ‌ରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ଟିକସ ଆଦାୟ କ୍ଷେତ୍ରରେ ସେସ୍‌ ଓ ସର୍‌ଚାର୍ଜ ଲାଗୁ କରି କେନ୍ଦ୍ର ସରକାର ମୋଟା ଅଙ୍କର ପାଣ୍ଠି ପାଉଥିବା ବେଳେ ରାଜ୍ୟଗୁଡ଼ିକୁ ସେଥିରୁ ଟଙ୍କାଟିଏ ମଧ୍ୟ ମିଳୁନାହିଁ। ରାଜ୍ୟଗୁଡ଼ିକ ପାଣ୍ଠିର ଏକ ବଡ଼ ଭାଗ କେନ୍ଦ୍ରୀୟ ଅନୁଦାନ ଆକାରରେ ମିଳିଥାଏ। ଆଗକୁ ସେହି ପାଣ୍ଠି ପାଇବା ମଧ୍ୟ ରାଜ୍ୟଗୁଡ଼ିକ ପାଇଁ କଷ୍ଟକର ହେବ। କେନ୍ଦ୍ର ସରକାର ଜୁଲାଇ ୧ରୁ କଠୋର ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକ ବାବଦ ଟଙ୍କା ପାଇବା ପୂର୍ବରୁ ରାଜ୍ୟଗୁଡ଼ିକୁ କଠୋର ସର୍ତ୍ତ ସବୁ ପାଳନ କରିବାକୁ ପଡ଼ିବ।

ଯେଉଁ ପଦ୍ଧତିରେ କେନ୍ଦ୍ରୀୟ ଅନୁଦାନ ଦିଆଯାଉଥିଲା ତାହା କଠୋର ହେବ। ଆବଣ୍ଟିତ ହେଉଥିବା ପାଣ୍ଠି କିଭଳି ବ୍ୟବହାର ହେଉଛି ତାହା ଉପରେ କେନ୍ଦ୍ର ତୀକ୍ଷ୍‌ଣ ନଜର ରଖିବ। ଜୁଲାଇ ୧ରୁ ସବୁ ରାଜ୍ୟଗୁଡ଼ିକୁ ପ୍ରତିଟି କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ ପାଇଁ ଏକ ନୋଡାଲ୍‌ ଏଜେନ୍ସି ସ୍ଥାପନ କରିବାକୁ ହେବ। ସରକାରୀ କାରବାର କରିବା ଲାଗି କମର୍ସିଆଲ୍ ବ୍ୟାଙ୍କରେ ଖାତା ଖୋଲିବାକୁ ପଡ଼ିବ। କେନ୍ଦ୍ରର ପ୍ରମୁଖ ସ୍କିମ୍‌ଗୁଡ଼ିକର ଉପ ସ୍କିମ୍‌ଗୁଡ଼ିକ ଲାଗି ମଧ୍ୟ ଦରକାର ପଡ଼ିଲେ ନୋଡାଲ୍ ଏଜେନ୍ସି ସ୍ଥାପନ କରିବାକୁ ପଡ଼ିବ। କେନ୍ଦ୍ରର ପ୍ରତିଟି ବିଭାଗ ଓ ମନ୍ତ୍ରଣାଳୟ ନିଜର କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ ବାବଦ ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କରେ ରାଜ୍ୟଗୁଡ଼ିକର ଥିବା ଖାତାକୁ ସ୍ଥାନାନ୍ତର କରିବେ। ରିଜର୍ଭ ବ୍ୟାଙ୍କରୁ ସେହି ଟଙ୍କା ରାଜ୍ୟଗୁଡ଼ିକର ନୋଡାଲ୍‌ ଏଜେନ୍ସି ଖାତାକୁ ଆସିବ। ଅର୍ଥାତ ଅନୁଦାନ ପ୍ରଦାନ କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଅନୁଦାନକୁ ୨୧ ଦିନ ଭିତରେ ଏବଂ ନିଜ ବାବଦ ଅଂଶକୁ ୪୦ ଦିନ ଭିତରେ ହସ୍ତାନ୍ତର କରିବେ।

କେନ୍ଦ୍ର ସରକାରଙ୍କ ବ୍ୟୟର ଏକ ବଡ଼ ଭାଗ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକରେ ଖର୍ଚ୍ଚ ହେଉଛି। ‌ଏହି ସବୁ ସ୍କିମ୍‌ଗୁଡ଼ିକର ନଗଦ କାରବାରରେ କିଭଳି ପାରଦର୍ଶିତା ଆସିପାରିବ ସେନେଇ ଅର୍ଥ ଆୟୋଗ ଓ ବିଭିନ୍ନ କମିଟି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାର ସୁପାରିସ କରିଛନ୍ତି। ଅନୁଦାନ ପ୍ରଦାନ କରିବାରେ ହେଉଥିବା ବିଳମ୍ବ, ପାଣ୍ଠିର ଦୁର୍ବଳ ବ୍ୟବହାର ଏବଂ ସୁଧ ପାଇଁ ରାଜ୍ୟରେ ପାଣ୍ଠି ପଡ଼ି ରହିବା ଆଦି ପ୍ରସଙ୍ଗ ଉପରେ କମିଟିଗୁଡ଼ିକ ଆପତ୍ତି ଉଠାଇବା ସହ ସେଥିରେ ସୁଧାର ଆଣିବାକୁ ମତ ଦେଇଥିଲେ।

ସମ୍ବନ୍ଧିତ ଖବର