ଏବେ ରାଜସ୍ଥାନ ପାଳି! ସକ୍ରିୟ ହେଉଛନ୍ତି ପାଇଲଟ୍‌ ଗ୍ରୁପ୍‌, ହଲଟ୍‌ଙ୍କ ସହ ଆଲୋଚନା କଲେ ରାହୁଲ-ପ୍ରିୟଙ୍କା

ଜୟପୁର: ରାଜସ୍ଥାନ କଂଗ୍ରେସରେ ଯେ କୌଣସି ସମୟରେ ଭୂକମ୍ପ ଆସିବା ଆଶଙ୍କା କରାଯାଉଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ସଚିନ ପାଇଲଟଙ୍କୁ ବସାଇବା ପାଇଁ ହାଇକମାଣ୍ଡ୍‌ଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ପାଇଲଟ୍‌ଙ୍କ ସମର୍ଥକ ବିଧାୟକମାନେ ସକ୍ରିୟ ହୋଇଉଠିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ଗତରାତିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏବଂ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଆଲୋଚନା କରିଛନ୍ତି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଜଟିଳ ସ୍ଥିତି ଉପୁଯିବା ଆଶଙ୍କା କରାଯାଉଥିବାରୁ ରାହୁଲଙ୍କ ବାସଭବନରେ ଗତରାତିରେ ଏହି ସ୍ବତନ୍ତ୍ର ବୈଠକ ହୋଇଥିଲା।

ଏହି ଅବସରରେ ଦଳର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପାଇଲଟ୍‌ ଗୋଷ୍ଠୀଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ସେ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ଏବେ ଛତିଶଗଡ଼ରେ ଦଳୀୟ କନ୍ଦଳ ବଢ଼ୁଥବା ବେଳେ ପଂଜାବ‌ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ରାଜ୍ୟ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କର କେତେକ ପଦକ୍ଷେପ ଦଳର ଅଡ଼ୁଆ ବଢ଼ାଇ ଦେଇଛି ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ପାଇଁ ଆଗକୁ ରାସ୍ତା ସହଜ ହେବନାହିଁ ବୋଲି କୁହାଯାଉଛି। ଦୀପାବଳି ପରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଯୋଜନା କରିଛନ୍ତି। ରାଜ୍ୟରେ ୨ଟି ଆସନରେ ହେଉଥିବା ଉପନିର୍ବାଚନର ପରିଣାମ ମଧ୍ୟ ୨ ନଭେମ୍ବରରେ ଆସିଯିବ। ଯଦି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାଙ୍କ ସମର୍ଥକମାନେ ଜିଦ୍‌ରେ ଅଟଳ ରହିବେ ତା’ହେଲେ ୨୦୨୩ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଭିନ୍ନ ରଣନୀତିରେ କାମ କରିବା ପାଇଁ ମଧ୍ୟ ଗେହଲଟ ଗୋଷ୍ଠୀ ପ୍ରସ୍ତୁତ ଅଛନ୍ତି। ଆଗାମୀ ସଂପ୍ରସାରଣ ପୂର୍ବରୁ ଯଦି ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ତେଜିବ ତା’ହେଲେ ‌ହାଇକମାଣ୍ଡ କେତେକ କଠୋର ପଦକ୍ଷେପ ନେବାକୁ ପଛାଇବେ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର