ଏବେ ସାଧାରଣ ଲୋକ ଯାଇପାରିବେ ସିଆଚେନ ଗ୍ଲାସିୟର, ଅନୁମତି ଦେବ ସେନା

ନୂଆଦିଲ୍ଲୀ : ଏଣିକି ସାଧାରଣ ଲୋକେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟର ଭ୍ରମଣ କରିପାରିବେ । ସେଠାକାର ଦୁର୍ଗମ ଓ କଠିନ ପରିବେଶରେ ରହି ଦେଶର ସୁରକ୍ଷା ଦେଉଥିବା ଆମର ବୀର ସୈନିକମାନଙ୍କୁ ପାଖରୁ ଦେଖିପାରିବେ । ଏପରି ଏକ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଭାରତୀୟ ସେନା ମଧ୍ୟ ଏହି ପ୍ରସ୍ତାବକୁ ଉପରେ ନିଜର ସମ୍ମତି ଜଣାଇସାରିଛି ।

ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନକୁ ସାଧାରଣ ନାଗରିକଙ୍କ ପରିଦର୍ଶନ ଲାଗି ଖୋଲାଯିବ। ସେନା ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯିବ ବୋଲି ସେନାମୁଖ୍ୟ ବିପିନ୍ ରାୱତ ପ୍ରକାଶ କରିଛନ୍ତି। ଶତ୍ରୁଦେଶ ଆକ୍ରମଣରୁ ଭାରତକୁ ସୁରକ୍ଷା ଦେବା ପାଇଁ  କିଭଳି ଭାରତୀୟ ଯବାନମାନେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଦିନରାତି ଜଗି ରହିଛନ୍ତି ତାହା ଜନସାଧାରଣ ଦେଖନ୍ତୁ ବୋଲି ସେନା ଚାହୁଁଛି। ସେନାମୁଖ୍ୟଙ୍କ ଅନୁସାରେ ସିଆଚେନ୍ ଭ୍ରମଣ ପରେ ଲୋକେ ସେନା ଯବାନଙ୍କ ଜୀବନଶୈଳୀ ସହିତ ପରିଚିତ ହୋଇପାରିବେ।

ଏଠାରେ ଅନୁଷ୍ଠିତ ଏକ ସେମିନାରରେ ସେନାମୁଖ୍ୟ ବିପିନ୍ ରାୱତ କହିଛନ୍ତି, ସେନାବାହିନୀ ପକ୍ଷରୁ ସାଧାରଣ ଜନତାଙ୍କୁ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବାଲାଗି ଅନୁମତି  ଦିଆଯାଉଥିବା ବେଳେ ବର୍ତ୍ତମାନ ଆମେ ସୀମାନ୍ତର କିଛି ପୋଷ୍ଟ ଲୋକଙ୍କ ଦେଖିବା ଲାଗି ଖୋଲିବୁ ବୋଲି ଚିନ୍ତା କରୁଛୁ । ଏହି କ୍ରମରେ ପ୍ରଥମେ ସିଆଚେନକୁ ସାମିଲ୍ କରାଯିବ।

ସାଧାରଣ ଲୋକମାନଙ୍କୁ ସିଆଚେନ ଗ୍ଲାସିୟରଠାରେ ଥିବା ସେନାର ପୋଷ୍ଟଗୁଡ଼ିକୁ ବୁଲିବାକୁ ସୁଯୋଗ ଦିଆଗଲେ ସାଧାରଣ ଲୋକେ ସେନା ଯବାନ କେତେ ପ୍ରତିକୂଳ ପରିସ୍ଥିତିରେ ରହି ଦେଶର ସୁରକ୍ଷା କରୁଛନ୍ତି ତାହା ପ୍ରତ୍ୟକ୍ଷଭାବେ ଅନୁଭବ କରିପାରିବେ । କିଛି ଦିନତଳେ ଏକ କର୍ମଶାଳା ଅବସରରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କହିଥିଲେ ଯେ ଇତି ମଧ୍ୟରେ ନିଜର କେତେକ ଟ୍ରେନିଂ ସେଣ୍ଟର ଓ କେତେକ ନିର୍ଦ୍ଦିଷ୍ଟ ପୋଷ୍ଟକୁ ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲିଦିଆଯାଇଛି । ଏହି ପୋଷ୍ଟ ମଧ୍ୟରେ ରହିଛି ସିଆଚେନ ଗ୍ଲାସିୟରରେ ଥିବା ଏକ ଫରଓ୍ଵାର୍ଡ ପୋଷ୍ଟ ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରକୁ ଦୁଇଭାଗ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିଥିଲେ ।

ସମ୍ବନ୍ଧିତ ଖବର