ତିରୁବନନ୍ତପୁରମ: କେରଳ ସରକାରଙ୍କ ଦ୍ୱାରା ପରିଚାଳିତ କେରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏକ ଭଲ ପଦକ୍ଷେପ ନିଆଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ ବର୍ଷରୁ ଅଧିକ ବୟସର ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଛୁଟି ସହ ମାତୃତ୍ୱ ଛୁଟି ଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶାନାମା ମୁତାବକ ବିଶ୍ୱବିଦ୍ୟାଳୟରେ ଯେଉଁ ଛାତ୍ରୀମାନେ ସ୍ନାତକ କିମ୍ବା ସ୍ନାତକୋତ୍ତର ବା ପୋଷ୍ଟ ଗ୍ରାଜୁଏସନ କରୁଛନ୍ତି ଓ ବିବାହ ପରେ ଗର୍ଭବତୀ ଅଛନ୍ତି ସେମାନେ ଏହି ଛୁଟି ନେଇପାରିବେ | ପୂର୍ବରୁ ଏହି ସୁବିଧା କେବଳ ପିଏଚଡି ଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିଲା | କେରଳ ବିଶ୍ୱବିଦ୍ୟାଳୟ ସମେତ କେରଳ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (KUHS) ମଧ୍ୟ ଛାତ୍ରୀମାନଙ୍କୁ ୬ ମାସର ମାତୃତ୍ୱ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ସେହିପରି କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (କୁସାଟ) ମଧ୍ୟ ଏହାର ଛାତ୍ରୀମାନଙ୍କୁ ୬୦ ଦିନ ମାତୃତ୍ୱ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ବାସ୍ତବରେ, କେରଳ ସରକାର ଛାତ୍ରୀମାନଙ୍କ ପାଇଁ ୬ ମାସର ମାତୃତ୍ୱ ଛୁଟିର ସୁବିଧା କାର୍ଯ୍ୟକାରୀ କରିବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ସୁପାରିଶ କରିଥିଲେ। ଏହାପୂର୍ବରୁ କେବଳ କେରଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବା ଝିଅମାନଙ୍କୁ ମାତୃତ୍ୱ ଛୁଟିର ସୁବିଧା ଦିଆଯାଇଥିଲା।

Advertisment

କେରଳର ଏହି ବିଶ୍ୱବିଦ୍ୟାଳୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ପଢ଼ୁଥିବା ଛାତ୍ରୀମାନେ ମଧ୍ୟ ୬ ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟିରେ ଯାଇ କଲେଜକୁ ଫେରି ସେମାନଙ୍କ ପରବର୍ତ୍ତୀ ଅଧ୍ୟୟନ ଜାରି ରଖିପାରିବେ | ଏହି କାରଣରୁ, ସେମାନଙ୍କ ଅଧ୍ୟୟନ ଜାରି ରହିବା ସହ ଶିକ୍ଷାବର୍ଷ ନଷ୍ଟ ହେବାର ଭୟ ରହିବ ନାହିଁ | କେରଳ ସରକାରଙ୍କ କହିବା ମୁତାବକ କୌଣସି ଝିଅଙ୍କୁ ବିବାହ ପରେ ପାଠ ପଢିବା ଜାରି ରଖିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | କିନ୍ତୁ ବିବାହ ପରେ ସେମାନେ ଯଦି ଗର୍ଭବତୀ ହୁଅନ୍ତି, ତେବେ ସେମାନଙ୍କ ପାଇଁ ଅସୁବିଧା ଆହୁରି ବଢ଼ିଯାଇଥାଏ | କାରଣ ଏଭଳି ପରିସ୍ଥିତିରେ, ଅଧିକାଂଶ ଛାତ୍ରୀ ଆଉ କଲେଜ ଆସିପାରନ୍ତି ନାହିଁ ଓ ସେମାନଙ୍କ ପାଠପଢା ବନ୍ଦ ହୋଇଯାଏ | କଲେଜ ନ ଆସିବା ଯୋଗୁଁ ଉପସ୍ଥିତି କମିଯାଏ ଓ ପରୀକ୍ଷା ଦେବାକୁ ଆବଶ୍ୟକ ଉପସ୍ଥାନ ନଥିବାରୁ ପରୀକ୍ଷା ଦେଇପାରନ୍ତି ନାହିଁ | ଏସବୁକୁ ଦୃଷ୍ଟିରେ ରଖି କେରଳ ବିଶ୍ୱବିଦ୍ୟାଳୟ, ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ କରୁଥିବା ଛାତ୍ରୀମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାକୁ ଏହି ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି | ବର୍ତ୍ତମାନ, ଗର୍ଭବତୀ ଥିବା ସତ୍ତ୍ୱେ ୬ ମାସର ଅବକାଶ ପାଇପାରିବେ ଓ ପାଠପଢା ଜାରି ରଖିପାରିବେ |