ଟ୍ରେନ ଯାତ୍ରୀ ସାବଧାନ! ଅଧିକ ଲଗେଜ ସାଙ୍ଗରେ ନେଲେ ଗଣିବେ ୬ ଗୁଣା ଜରିମାନା; ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି କି? ତେବେ, ସାବଧାନ ହୋଇଯାଆନ୍ତୁ! କାରଣ, ଟ୍ରେନ୍‌ ଯାତ୍ରା କାଳରେ ଯଦି ଆପଣ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ଲଗେଜ ନେଇ ସାଙ୍ଗରେ ଯାଉଥିବା ଅବସ୍ଥାରେ ଧରାପଡ଼ନ୍ତି, ତେବେ ଆପଣଙ୍କ ଠାରୁ ଜରିମାନା ବାବଦରେ ୬ ଗୁଣା ଅଧିକ ଅର୍ଥ ଆଦାୟ କରିବ ରେଳ ବିଭାଗ। ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ନିୟମ ଆଜି ଠାରୁ ଦେଶର ସମସ୍ତ ରେଳ ଡିଭିଜନରେ କଡ଼ାକଡ଼ି ଭାବେ ଲାଗୁ ହେବା ସହ ଏହାର ପାଳନ ମଧ୍ୟ ଆରମ୍ଭ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳ ବିଭାଗର ଜନୈକ ବରିଷ୍ଠ ଅଧିକାରୀ।

ଆପଣ ଯଦି ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ୪୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ୩୫କିଲୋ ଓଜନର ଲଗେଜ୍‌ ସାଙ୍ଗରେ ନେଇ ପାରିବେ। ଯଦି ଆପଣଙ୍କ ନିକଟରେ ଏହାଠାରୁ ଅଧିକ ଲଗେଜ ଥାଏ ତେବେ, ଆଉ ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୮୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୭୦ କିଲୋ ଓଜନର ଲଗେଜ୍‌ ନେଇ ପାରିବେ ଏବଂ ଏଥିପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ।

ସେହିପରି, ଆପଣ ଯଦି ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବେ, ତେବେ ସାଙ୍ଗରେ ୭୦ କିଲୋ ଓଜନର ଲଗେଜ୍‌, ଏସି ଟୁ-ଟାୟାରରେ ଯାତ୍ରା କରୁଥିଲେ ୫୦ କିଲୋ ଓଜନର ଲଗେଜ୍‌ ବିନା ଦେୟରେ ନେଇପାରିବେ ଯଦି ଏହାଠାରୁ ଅଧିକ ଓଜନର ଲଗେଜ ଥାଏ ଓ ଆପଣ ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ସର୍ବୋଚ୍ଚ ୧୫୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଏସି ଟୁ-ଟାୟାରରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୧୦୦ କିଲୋ ଓଜନର ଲଗେଜ୍‌ ଅଧିକ ଦେୟ ଦେଇ ନେଇ ପାରିବେ।

ତେବେ, ଏହି ବର୍ଦ୍ଧିତ ଓଜନର ଲଗେଜ ପାଇଁ ଆପଣଙ୍କୁ ରେଳ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ ଏବଂ ଏହି ବର୍ଦ୍ଧିତ ଓଜନର ଲଗେଜକୁ ଆପଣ ଆପଣଙ୍କ କମ୍ପାଟମେଣ୍ଟରେ ନେଇ ପାରିବେ ନାହିଁ। ଆପଣ ନିର୍ଦ୍ଧାରିତ ଦେୟ ପୈଠ କଲାପରେ ଆପଣଙ୍କର ଏହି ବର୍ଦ୍ଧିତ ଓଜନର ଲଗେଜକୁ ରେଳ ବିଭାଗ ଟ୍ରେନ୍‌ର ଲଗେଜ ଭ୍ୟାନ୍‌ରେ ନେବା ସହ ସେସବୁକୁ ନେଇ ଆପଣଙ୍କୁ ଆପଣଙ୍କର ଗନ୍ତବ୍ୟ ଷ୍ଟେସନ୍‌ରେ ହସ୍ତାନ୍ତର କରିବ। ସେହପରି ଆପଣ ଆପଣ ଯେଉଁ ଟ୍ରଙ୍କ, ସୁଟକେସ୍‌ ବା ବ୍ୟାଗ୍‌କୁ ସାଙ୍ଗରେ ଯଦି ତାହାର ଲମ୍ବ ୧୦୦ ସେଣ୍ଟିମିଟର, ଦୈର୍ଘ୍ୟ ୬୦ ସେଣ୍ଟିମିଟର ଓ ଉଚ୍ଚତା ୨୫ ସେଣ୍ଟିମିଟରରୁ ଅଧିକ ହୁଏ, ତେବେ ସେ କ୍ଷେତ୍ରରେ ମଧ୍ୟ ରେଳବିଭାଗ ଆପଣଙ୍କ ଠାରୁ ଜରିମାନା ଆଦାୟ କରିବ।

ରେଳ ଯାତ୍ରା କାଳରେ କିଛି ଯାତ୍ରୀ ସାଙ୍ଗରେ ମାତ୍ରାଧିକ ଲଗେଜ ନେବା ସହ ଅନ୍ୟ ସହଯାତ୍ରୀମାନଙ୍କୁ ଏହି କାରଣ ପାଇଁ ଅସୁବିଧାରେ ପକାଉଥିବା ନେଇ ବହୁ ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ ଯାତ୍ରୀ ଲଗେଜ ସଂପର୍କିିତ ଏହି ନୂଆ ନିୟମ ପ୍ରଣୟନ କରାଯିବା ସହ ଏହାକୁ ଆଜିଠାରୁ କଡ଼ାକଡ଼ି ଭାବେ ଲାଗୁ କରି ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରେଳ ବୋର୍ଡର ସୂଚନା ଓ ବିଜ୍ଞାପନ ନିର୍ଦ୍ଦେଶକ ବେଦ ପ୍ରକାଶ।

ସମ୍ବନ୍ଧିତ ଖବର