ବ୍ରିଟେନରେ ଏବେ ‘ଋଷି’ ରାଜ୍: ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ‌ସୁନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଡୋମିନିକ ରାବ୍‌ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ, ୪ ମନ୍ତ୍ରୀ ବହିଷ୍କୃତ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଗତକାଲି କ୍ଷମତାସୀନ କଂଜରଭେଟିଭ୍‌ ଦଳର ନେତା ନିର୍ବାଚିତ ହୋଇଥିବା ସୁନକ ଆଜି ବଙ୍କିଂହାମ ପ୍ୟାଲେସରେ ପହଞ୍ଚି ରାଜା ଚାର୍ଲସଙ୍କୁ ଭେଟିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏବଂ ପେନି ମୋର୍ଡାଣ୍ଟ କଂଜରଭେଟିଭ୍‌ ନେତା ପଦ ପାଇଁ ଦୌଡ଼ରୁ ଓହରିଯିବା ପରେ ୪୨ ବର୍ଷୀୟ ଋଷି ସୁନକ ବିନା ପ୍ରତିଦ୍ବନ୍ଦ୍ବିତାରେ ଦଳର ନେତା ନିର୍ବାଚିତ ହୋଇଥିଲେ। ଦଳର ୩୭୫ ସାଂସଦଙ୍କ ମଧ୍ୟରୁ ତାଙ୍କୁ ୫୦ ପ୍ରତିଶତରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ସେ ହେଉଛନ୍ତି ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ।

ବ୍ରିଟେନର ପ୍ରଥମ ଅଶ୍ବେତ ପ୍ରଧାନମନ୍ତ୍ରୀ ସୁନକ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ପ୍ରଥମ ହିନ୍ଦୁ ତଥା ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ କ୍ଷମତା ଭାର ହାତକୁ ନେଇଛନ୍ତି। କଂଜରଭେଟିଭ୍‌ ଦଳର ନେତା ଭାବେ ସୁନକଙ୍କ ବିଜୟ ତାଙ୍କ ରାଜନୈତିକ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିଛି। ଗତମାସରେ କ୍ଷମତାସୀନ ଦଳର ଆବଶ୍ୟକ ସଂଖ୍ୟକ ସାଂସଦଙ୍କ ସମର୍ଥନ ନ ପାଇବାରୁ ସୁନକ ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କଠାରୁ ହାରିଯାଇଥିଲେ। ତେବେ ଟ୍ରସ୍‌ଙ୍କ ନିଷ୍ପତ୍ତି ଓ ନେତୃତ୍ବ ବିରୋଧରେ ଖୋଲା ବିଦ୍ରୋହ ଯୋଗୁଁ ତାଙ୍କୁ ମାତ୍ର ୪୫ ଦିନର କାର୍ଯ୍ୟକାଳ ପରେ ଇସ୍ତଫା ଦେବାକୁ ପଡ଼ିଥିଲା। ସୁନକଙ୍କ ଜନ୍ମ ବ୍ରିଟେନରେ ହୋଇଥିଲା। ତାଙ୍କ ପିତା ଭାରତୀୟ ବଂଶୋଦ୍ଭବ ଯଶବୀର ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ମା’ ଉଷା ସୁନକ ଜଣେ ଫାର୍ମାସିଷ୍ଟ। ଗତକାଲି କଂଜରଭେଟିଭ୍‌ ଦଳର ନେତା ନିର୍ବାଚିତ ହେବାପୂର୍ବରୁ ଋଷି ସୁନକ କହିଥିଲେ ଯେ ଦେଶର ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଏବଂ ଦଳକୁ ଏକଜୁଟ ରଖିବା ତାଙ୍କର ପ୍ରାଥମିକତା ହେବ। ଦେଶକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ତାଙ୍କୁ ସୁଯୋଗ ଦେବାକୁ ସେ ଦଳୀୟ ସାଂସଦମାନଙ୍କୁ ଆହ୍ବାନ ଦେଇଥିଲେ।

ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ ଭାରତରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି-‘ଋଷି ସୁନକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଆମେ ମିଳିମିଶି କାମ କରିବା ଏବଂ ୨୦୩୦ ରୋଡ୍‌ମ୍ୟାପ୍‌ କାର୍ଯ୍ୟକାରୀ କରିବା ଦିଗରେ ଆଗକୁ ଉତ୍ସାହର ସହ ଅଗ୍ରସର ହେବା। ବ୍ରିଟିସ ଭାରତୀୟଙ୍କ ‘ଜୀବନ୍ତ ସେତୁ’ ଦୀପାବଳି ପାଇଁ ବିଶେଷ ଶୁଭକାମନା। ଆମ ଐତିହାସିକ ସଂପର୍କକୁ ଆଧୁନିକ ଭାଗିଦାରିତାରେ ପରିଣତ କରିବା’

ସମ୍ବନ୍ଧିତ ଖବର