ଜମାତୀଙ୍କ ପରେ ଏବେ ରୋହିଙ୍ଗ୍ୟା ବିପଦ: ମୁସଲିମ୍‌ ତବ୍‌ଲିଗି ଜମାତ୍‌ର ବିଭିନ୍ନ ସମ୍ମିଳନୀରେ ଯୋଗ ଦେଇଛନ୍ତି ରୋହିଙ୍ଗ୍ୟା

ଦେଶରେ ଏବେ ବିଭିନ୍ନ ଅଂଚଳରେ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ରହୁଛନ୍ତି

ନୂଆଦିଲ୍ଲୀ : ତବ୍‌ଲିଗି ଜମାତ୍‌ ସମ୍ମିଳନୀ ପାଇଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜମାତୀମାନେ ଗତମାସରେ ନିଜାମୁଦ୍ଦିନ୍‌ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏହାପରେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସଂକ୍ରମଣ ମାତ୍ରାକୁ ବଢ଼ାଇଦେଇଛନ୍ତି।। କେବଳ ନିଜାମୁଦ୍ଦିନ୍‌ ଲିଙ୍କ୍‌ ନେଇ ଦିଲ୍ଲୀରେ ୧୦୦୦ ମାମଲା ରହିଛି। ତେବେ ରାଜ୍ୟଗୁଡ଼ିକ ଏବେ କରୋନା ମୁକାବିଲା ପାଇଁ ଯୁଦ୍ଧ ସ୍ତରରେ କାର୍ଯ୍ୟ ଜାରି ରଖିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଣି ତବ୍‌ଲିଗି ଏବଂ ରୋହିଙ୍ଗ୍ୟାଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ତଦନ୍ତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ-୧ର ଉପ ସଚିବ କେ ଶ୍ରୀନିବାସ କହିଛନ୍ତ, ରୋହିଙ୍ଗ୍ୟା ମୁସଲିମ୍‌ ତବ୍‌ଲିଗି ଜମାତ୍‌ର ବିଭିନ୍ନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସେମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ ତଦନ୍ତ ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ଦେଶରେ ଏବେ ବିଭିନ୍ନ ଅଂଚଳରେ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ରହୁଛନ୍ତି। ତେବେ କେବଳ ୧୭,୦୦୦ ରୋହିଙ୍ଗ୍ୟା ୟୁଏନ୍‌ଏଚ୍‌ସିଆର ଦ୍ବାରା ପଂଜିକୃତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏହା ଏକ ଚିନ୍ତାର କାରଣ। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ରୋହିଙ୍ଗ୍ୟା ବିଭିନ୍ନ ସ୍ଥାନକୁ ସମ୍ମିଳନୀ ପାଇଁ ଯାଇଥିବା ବେଳେ ଫେରିନାହାନ୍ତି। ତେବେ ଏହି ରୋହିଙ୍ଗ୍ୟାମାନେ ଭାରତରେ ବେଆଇନ ଭାବେ ରହି କିଭଳି ଧାର୍ମିକ ସମ୍ମିଳନୀରେ ଯୋଗ ଦେବାର ସୁଯୋଗ ପାଉଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ସେହିପରି ତବ୍‌ଲିଗି ଜମାତ୍‌ ମଧ୍ୟ କିଭଳି ଏହାର କାର୍ଯ୍ୟକ୍ରମକୁ ଅଧିକ ସଂଖ୍ୟାରେ ରୋହିଙ୍ଗ୍ୟା ମୁସଲିମ୍‌ଙ୍କୁ ନେବାକୁ ସକ୍ଷମ ହେଲା ସେନେଇ ତଦନ୍ତ ଜାରି ରହିଛି।

ସୂଚନାନୁଯାୟୀ ରୋହିଙ୍ଗ୍ୟା ମୁସଲିମ୍‌ମାନେ ତବ୍‌ଲିଗି ଜମାତ୍‌ର ଇଜ୍‌ତେମାସ ଏବଂ ଅନ୍ୟ ଧାର୍ମିକ ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି। ସେମାନେ ମଧ୍ୟ ମେୱତ, ହରିୟାଣାରେ ବିଭିନ୍ନ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ତେବେ ହାଇଦ୍ରାବାଦ୍‌ରେ ରହୁଥିବା ରୋହିଙ୍ଗ୍ୟାମାନେ ତବ୍‌ଲିଗି ଜମାତ୍‌ ସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ଶ୍ରାମ ବିହାର ଏବଂ ଶାହିନ୍‌ ବାଗ୍‌ ରୋହିଙ୍ଗ୍ୟାମାନେ ମଧ୍ୟ ତବ୍‌ଲିଗିରେ ଅଂଶଗ୍ରହଣ କରିଥିଲେ। ସବୁଠୁ ଚିନ୍ତାଜନକ ହେଉଛି ଏମାନଙ୍କ ମଧ୍ୟରୁ ଅନେକ ଏଯାବତ୍‌ ଶିବିରକୁ ଫେରିନାହାନ୍ତି। ସେମାନେ ରାଜ୍ୟର ବିଭିନ୍ନ ଅଂଶରେ ଲୁଚି ଥାଇ ପ‌ାରନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଖୋଜିବା ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ଗୃହ ମନ୍ତ୍ରାଳୟ କୁହାଯାଇଛି ଯେ, ଡେରାବସି, ପଂଜାବ ଏବଂ ଜମ୍ମୁରେ ରହୁଥିବା ରୋହିଙ୍ଗ୍ୟା ମୁସଲିମ୍‌ମାନେ ସେମାନଙ୍କ ଶିବିରକୁ ଫେରିଛନ୍ତି। ତବ୍‌ଲିଗି ସମ୍ମିଳନୀରେ ଯୋଗ ଦେଇ ସେମା‌ନେ ଫେରିଥିବାରୁ ସେମାନଙ୍କ ନମୁନା ତୁରନ୍ତ ପରୀକ୍ଷା କରିବାପାଇଁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର