ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହେଲାଣି। ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ କମିସନ ତାଙ୍କର ସମୀକ୍ଷା ବୈଠକ ମଧ୍ୟ ଆଜି ସାରିଦେଇଛନ୍ତି। ନିର୍ବାଚନ କମିସନ୍ରେ ଖାଲିପଡ଼ିଥିବା ଦୁଇଟି କମିସନ ପଦ ଲାଗି ଆସନ୍ତାକାଲି ନିଯୁକ୍ତି ହୋଇପାରେ। ଏହାପରେ ଯେକୌଣସି ସମୟରେ ଲୋକସଭା ନିର୍ବାଚନ ସହିତ ୪ଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଥିରେ ରହିଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍। ତାରିଖ ଘୋଷଣା ସହିତ ନିର୍ବାଚନ ଆଚରଣ ବିଧି ଲାଗୁହେବ। ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ସମେତ ସଂପୃକ୍ତ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଅନେକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଏବେ କେବଳ ତାରିଖ ଘୋଷଣାକୁ ଅପେକ୍ଷା।
ଚଳିତ ସପ୍ତାହରେ ନିର୍ବାଚନ କମିସନର ରାଜଧାନୀ ଦିଲ୍ଲୀରେ ୨୦୦୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କର ବୈଠକ କରିଛନ୍ତି। ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ମୁଖ୍ୟ ନିର୍ବାଚନ କମିସନର ପର୍ଯ୍ୟବେକ୍ଷକମାନଙ୍କୁ ମନ୍ତ୍ର ଦେଇଛନ୍ତି। ବିଭିନ୍ନ ରାଜ୍ୟର ଗସ୍ତକ୍ରମରେ ନିର୍ବାଚନ କମିସନରଙ୍କର ଜମ୍ମୁ କଶ୍ମୀର ଗସ୍ତ ଆଜି ଶେଷ ହୋଇଛି। ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇଟି ଯାକ ନିର୍ବାଚନ କମିସନର ପଦ ଖାଲି ପଡ଼ିଛି। ଏହି ପଦରେ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟର ବୈଠକ ଆସନ୍ତାକାଲି ମଧ୍ୟାହ୍ନରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗଦେବେ। ଯଦି ଦୁଇ ନିର୍ବାଚନ କମିସନଙ୍କ ନିଯୁକ୍ତି ନେଇ ନିଷ୍କର୍ଷ ବାହାରେ ତାହେଲେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିବେ। ଏହାପରେ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାର କିମ୍ବା ଶୁକ୍ରବାର ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଶା ସୃଷ୍ଟି ହୋଇଛି। ୨୦୨୯ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା। ତେଣୁ ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ।
ଉଲ୍ଲେଖଯୋଗ୍ୟ, ୩ ଜଣିଆ ନିର୍ବାଚନ କମିସନରେ ଏବେ କେବଳ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କାର୍ଯ୍ୟ କରୁଛନ୍ତି। ଗତ ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କମିସନର ଅନୂପ ଚନ୍ଦ୍ର ପାଣ୍ଡେ ଅବସର ଗ୍ରହଣ କରିଥିବା ବେଳେ କିଛିଦିନ ପୂର୍ବେ ହଠାତ୍ ଅନ୍ୟତମ ନିର୍ବାଚନ କମିସନର ଅରୁଣ ଗୋଏଲ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ନିର୍ବାଚନ କମିସନର ନିଯୁକ୍ତି ନେଇ ଏକ ପିଟିସନ ଉପରେ ଶୁକ୍ରବାର ଶୁଣାଣି କରିବାକୁ ଯାଉଛନ୍ତି ସୁପ୍ରିମ କୋର୍ଟ। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ‘ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିସନର ଆଇନ ୨୦୨୩’ରେ ଥିବା ବ୍ୟବସ୍ଥାର ବୈଧତା ଉପରେ ପ୍ରଶ୍ନ ଉଠାଇ ଏକ ପିଟିସନ୍ ଦାଖଲ କରାଯାଇଛି। ଏହା ଉପରେ ସମସ୍ତଙ୍କର ନଜର ରହିଛି।
ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏବଂ ଅନ୍ୟ ନିର୍ବାଚନ କମିସନର ଚୟନ ଦାୟିତ୍ୱରେ ଥିବା ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ବୁଧବାର ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି। ଶୁକ୍ରବାର ଏହା ଉପରେ ଶୁଣାଣି କରାଯିବ। ନିର୍ବାଚନ କମିସନର ନିଯୁକ୍ତି ଉପରେ ରୋକ୍ ଲଗାଇବା ପାଇଁ ପିଟିସନରେ ଦାବି କରାଯାଇଛି। ଯଦି କମିସନର ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ କୌଣସି ପ୍ରତିକୂଳ ରାୟ ଦିଅନ୍ତି, ତାହେଲେ ଏହି ତାରିଖ ଘୋଷଣା ଆଉ କିଛିଦିନ ବିଳମ୍ବ ହୋଇପାରେ। ତେଣୁ ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।