ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ପଂଜିକା (ଏନ୍ପିଆର୍) ପାଇଁ ଗତକାଲି କେନ୍ଦ୍ର ସରକାର ୮୫୦୦ କୋଟି ଟଙ୍କା ବଜେଟ୍ ମଂଜୁର କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିବା ପାଇଁ ତତ୍ପରତା ଦେଖାଇଛନ୍ତି। ଏନ୍ପିଆର୍କୁ ନେଇ ଦେଶର କୌଣସି ନାଗରିକଙ୍କ ମନରେ ସାମନ୍ୟତମ ଦ୍ବନ୍ଦ୍ବ କି ବିଭ୍ରାନ୍ତି ରହିବା ଉଚିତ ନୁହେଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ୨୦୦୩ ନିର୍ଦ୍ଦେଶାବଳିର ଉପନିୟମ ୪ରେ କୁହାଯାଇଛି ଯେ ଜନସଂଖ୍ୟା ରେଜିଷ୍ଟରର ଯାଞ୍ଚ ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତି କିମ୍ବା ପରିବାରକୁ ସନ୍ଦିଗ୍ଧ ନାଗରିକ କିମ୍ବା ସନ୍ଦିଗ୍ଧ ନାଗରିକତା ଭାବେ ଚିହ୍ନଟ କରାଯାଇପାରିବ। ଏବେ ପ୍ରଶ୍ନ ଉଠୁଛି ସନ୍ଦିଗ୍ଧ ନାଗରିକତା କ’ଣ ଏବଂ କେଉଁ ଆଧାରରେ କୌଣସି ବ୍ୟକ୍ତି କିମ୍ବା ପରିବାରକୁ ସନ୍ଦିଗ୍ଧ ନାଗରିକ ଭାବେ ଗ୍ରହଣ କରାଯିବ। ଏନ୍ପିଆର୍ ସଂକ୍ରାନ୍ତ ୨୦୦୩ ନିୟମାବଳିରେ ସନ୍ଦିଗ୍ଧ ନାଗରିକତାର କୌଣସି ବିସ୍ତୃତ ପରିଭାଷା ନାହିଁ। ଏପରିକି ମୁଖ୍ୟ ଆଇନ ତଥା ୧୯୫୫ ନାଗରିକତା ଆଇନରେ ବି ଏ ବାବଦରେ କିଛି ସୂଚନା ଦିଆଯାଇନାହିଁ। ଦେଶର ସୁରକ୍ଷା ଦୃଷ୍ଟିରୁ ୨୦୦୩ରେ ନାଗରିକତା ସଂଶୋଧନ ଆଇନରେ ଏହି ପ୍ରାବଧାନ ଯୋଡ଼ା ଯାଇଥିଲା।
ଅନ୍ୟପକ୍ଷରେ ଏନ୍ପିଆର୍ ଏବଂ ଏନ୍ଆର୍ଆଇସି ପ୍ରସ୍ତୁତ କରିବା ପାଇଁ ୨୦୦୩ରେ ସନ୍ଦିଗ୍ଧ ନାଗରିକ ଏବଂ ସନ୍ଦିଗ୍ଧ ପରିବାରକୁ ଚିହ୍ନଟ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବାରୁ ଏନ୍ପିଆର୍ ସଂଶୋଧନ ବେଳେ ଏହାକୁ ଗୁରୁତ୍ବ ଦିଆଯିବ। ସ୍ଥାନୀୟ ଅଧିକାରୀ ଯାଞ୍ଚ ବେଳେ ଉପଲବ୍ଧ ତଥ୍ୟ ଏବଂ ପରିସ୍ଥିତିକୁ ଦେଇ ଏ ବାବଦରେ ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ସେମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଜଣେ ବ୍ୟକ୍ତି ସନ୍ଦିଗ୍ଧ ଭାବେ ଚିହ୍ନଟ ହେଲେ ତାଙ୍କୁ ଏକ ନିର୍ଦ୍ଧାରିତ ଫର୍ମରେ ନିଜ ସଂପର୍କରେ କେତେକ ସୂଚନା ଦେବାକୁ ହେବ। ତେବେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ କିଭଳି ତଥ୍ୟ ମଗାଯିବ ତାହା ସଂପୃକ୍ତ ଅଧିକାରୀ ସ୍ଥିର କରିବେ। ତେବେ ସନ୍ଦିଗ୍ଧ ନାଗରିକ ଚିହ୍ନଟ କରିବା ପାଇଁ ଅଧିକାରୀମାନଙ୍କୁ ଯେଉଁଭଳି କ୍ଷମତା ଦିଆଯାଇଛି, ତାହାକୁ ନେଇ ମଧ୍ୟ କେତେକ ମହଲ ପ୍ରଶ୍ନ ଉଠାଇଛନ୍ତି। ଗରିବ, ନିରକ୍ଷର, ଭୂମିହୀନ, ଅସହାୟ ଲୋକଙ୍କ କ୍ଷେତ୍ରରେ ଯେଭଳି କୌଣସି ଅନ୍ୟାୟ ହେବନାହିଁ, ସେ ଦିଗରେ ଅଧିକାରୀମାନେ ସତର୍କ ରହି କାର୍ଯ୍ୟ କରିବା ପାଇଁ ସରକାର ଗୁରୁତ୍ବାରୋପ କରିଛନ୍ତି।