ଏନ୍‌ଆର୍‌ସି ମାମଲା:କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ପ୍ରକ୍ରିୟାକୁ ନଷ୍ଟ କରିଦେବାକୁ ଚାହୁଛି ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆସାମରେ ଜାତୀୟ ନାଗରିକ ପଂଜୀକରଣ (ଏନ୍‌ଆର୍‌ସି) ପ୍ରକ୍ରିୟାକୁ ନେଇ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଗୃହ ମନ୍ତ୍ରାଳୟ ସମଗ୍ର ଏନ୍‌ଆର୍‌ସି ପ୍ରକ୍ରିୟାକୁ ବରବାଦ କରିଦେବାକୁ ଚାହୁଛନ୍ତି ବୋଲି କୋର୍ଟ କହିଛନ୍ତି। ଏନ୍‌ଆର୍‌ସି ପାଇଁ ନିର୍ଦ୍ଧାରିତ ୩୧ ଜୁଲାଇ ସମୟସୀମାକୁ ଆଉ ଆଗକୁ ବଢ଼ାଯିବ ନାହିଁ ବୋଲି ସ୍ପଷ୍ଟ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଏହି ସମୟସୀମା ଭିତରେ କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟ ଶେଷ କରିବା ଜରୁରୀ।
ଗୃହ ମନ୍ତ୍ରାଳୟ ସୁପ୍ରିମ୍‌ କୋର୍ଟଙ୍କୁ ଏନ୍‌ଆର୍‌ସି କାମକୁ ୨ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। ନିର୍ବାଚନ ଦାୟିତ୍ବରେ କେନ୍ଦ୍ରୀୟ ସଶସ୍ତ୍ର ବଳ ବ୍ୟସ୍ତ ରହିବାକୁ ଥିବାରୁ ସରକାର ଏଭଳି ପ୍ରସ୍ତାବ ଦେଇଥିଲେ। ତେବେ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ ଏ କ୍ଷେତ୍ରରେ ସରକାର ପୂର୍ବରୁ ଯଥେଷ୍ଟ ବିଳମ୍ବ କରିଛନ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ଆଉ ବଢ଼ାଯିବା ନାହିଁ। ଏନ୍‌ଆର୍‌ସି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଆସାମରେ କେତେକ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ବରୁ ମଧ୍ୟ ମୁକ୍ତ ରଖିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର