ଏନ୍‌ଆର୍‌ସି ବିବାଦ କାହିଁକି:ବଙ୍ଗାଳୀ, ବିହାରୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର: ମମତା

ସଂସଦରେ ହଟ୍ଟଗୋଳ, ଗୃହ ମୁଲତବୀ

ନୂଆଦିଲ୍ଲୀ: ଆସାମ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ଚିଠା ତାଲିକାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ ଆସାମରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଯୋଗୁ ରାଜ୍ୟର ଲୋକସଂଖ୍ୟା ଅହେତୁକ ବୃଦ୍ଧି ପାଇବାରୁ ବିବାଦ ସୃଷ୍ଟି ହୋଇଥିଲା। ୧୯୫୧ରୁ ୧୯୬୧ ମଧ୍ୟରେ ରାଜ୍ୟର ଲୋକସଂଖ୍ୟା ୩୬ ପ୍ରତିଶତ ବଢ଼ିଥିଲା ଏବଂ ଏହାର ପରବର୍ତ୍ତୀ ଦଶନ୍ଧିରେ ଏହା ପୁଣି ୩୫ ପ୍ରତିଶତ ବୃଦ୍ଧି ପାଇଥିଲା। ଏହାକୁ ନେଇ ନିଖିଳ ଆସାମ ଛାତ୍ର ସଂଗଠନ (ଏଏଏସ୍‌ୟୁ) ଏବଂ ଆସାମ ଗଣ ପରିଷଦ (ଏଜିପି) ପକ୍ଷରୁ ବିରୋଧ କରାଯାଇଥିଲା। ତେଣୁ ଏନ୍‌ଆର୍‌ସି (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର)ରେ ପୁନଃ ସଂଶୋଧନ ପାଇଁ ଦାବି ଉଠିଥିଲା। ତେବେ ୧୯୭୧ ପର୍ଯ୍ୟନ୍ତ ରାଜ୍ୟ ଭୋଟର ତାଲିକାରେ ସ୍ଥାନ ପାଇଥିବା ସମସ୍ତ ଲୋକଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି। ସେହିଭଳି ୧୯୫୧ ତାଲିକାକୁ ମଧ୍ୟ ଏଥିରେ ମିଶ୍ରଣ କରାଯାଇଛି। ଏହା ବାଦ୍‌ ଯେଉଁମାନଙ୍କୁ ସାମିଲ କରାଯାଇ ନାହିଁ, ସେମାନଙ୍କୁ ‘ବେଆଇନ ନାଗରିକ’ ବୋଲି ବିବେଚନା କରାଯିବ। ଏହାକୁ ନେଇ ଏବେ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏଏଏସ୍‌ୟୁ ଏବଂ ଏଜିପିର ଯୁକ୍ତି ଅନୁସାରେ ବାଂଲାଦେଶରୁ ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ରାଜ୍ୟ ମଧ୍ୟକୁ ଚାଲିଆସୁଛନ୍ତି। ସେମାନଙ୍କୁ କୌଣସି ପ୍ରକାର ବାରଣ କରାଯାଉ ନାହିଁ। ଏ ନେଇ ଉଭୟ ସଂଗଠନ ପକ୍ଷରୁ ୬ ବର୍ଷ ଧରି ଆନ୍ଦୋଳନ ପରେ ୧୯୮୫ରେ ଭାରତ ସରକାର ସେମାନଙ୍କ ସହ ଏକ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ୧୯୫୧ରୁ ୧୯୬୧ ମଧ୍ୟରେ ରାଜ୍ୟ ମଧ୍ୟକୁ ଆସିଥିବା ସମସ୍ତ ବିଦେଶୀଙ୍କୁ ସମ୍ପୂର୍ଣ୍ଣ ନାଗରିକତ୍ୱ ମିଳିବ ଏବଂ ୧୯୭୧ ପରେ ଆସିଥିବା ବିଦେଶୀଙ୍କୁ ପ୍ରତ୍ୟର୍ପଣ କରାଯିବ। ଏହାକୁ ଆସାମ୍‌ ଚୁକ୍ତି ବୋଲି କୁହାଯାଉଛି। ଏଥିପାଇଁ ଏନ୍‌ଆର୍‌ସି ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏନ୍‌ଆର୍‌ସି ସଂଶୋଧନ ଲାଗି ୨୦୦୫ରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା।
ଏନଆରସିର ପ୍ରଥମ ତାଲିକା ୩୧ ଡିସେମ୍ବର ୨୦୧୭ରେ ପ୍ରକାଶ ପାଇଥିଲା। ଏଥିରେ ୩.୨୯ କୋଟି ଆବେଦନକାରୀଙ୍କ ମଧ୍ୟରୁ ୧.୨୯ କୋଟି ଲୋକଙ୍କ ନାମ ରହିଥିଲା। ତେବେ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ତାଲିକାରୁ ୪୦ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ସରକାର ଜାଣିଶୁଣି ଏକ ନିର୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ବାଦ୍‌ ଦେଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଆସାମରୁ ବଙ୍ଗାଳୀ ଓ ବିହାରୀମାନଙ୍କୁ ତଡ଼ିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। ଯେଉଁମାନେ ତାଲିକାରୁ ବାଦ୍‌ ପଡ଼ିଛନ୍ତି, ସେମାନେ ରୋହିଙ୍ଗ୍ୟା ନୁହନ୍ତି। ବରଂ ସେମାନେ ଭାରତର ନାଗରିକ। ଏହି ତାଲିକାକୁ ନେଇ ସେ ମର୍ମାହତ। ତେଣୁ ସତ୍ୟାସତ୍ୟ ଜାଣିବା ଲାଗି ସେ ତୃଣମୂଳ କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ୍‌ ଆସାମକୁ ପଠାଇବେ। ଆବଶ୍ୟକ ପଡ଼ିଲେ ସେ ନିଜେ ରାଜ୍ୟ ପରିଦର୍ଶନ କରି ଯାଞ୍ଚ କରିବେ। ସେ କହିଛନ୍ତି ଯେ ଲୋକମାନଙ୍କୁ ସେମାନଙ୍କ ନିଜ ରାଷ୍ଟ୍ରରେ ଶରଣାର୍ଥୀ ବନାଯାଉଛି। ବଙ୍ଗଳା କହୁଥିବା ଲୋକ ଓ ବିହାରୀମାନଙ୍କୁ ତଡ଼ିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର।
ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ଆଜି ଆସାମର ଏନ୍‌ଆର୍‌ସି ତାଲିକାକୁ ନେଇ ତମ୍ବିତୋଫାନ ହୋଇଛି। ବିରୋଧୀ ଦଳଗୁଡ଼ିକ ଏହି ରିପୋର୍ଟକୁ କଡ଼ା ସମାଲୋଚନା କରିଥିଲେ। ସେମାନଙ୍କୁ ଜବାବ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କୌଣସି ଭୟର ବାତାବରଣ ସୃଷ୍ଟି ନ କରିବା ଲାଗି କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସବୁ କାର୍ଯ୍ୟ କରାଯାଇଛି। ସରକାରଙ୍କ ବିରୋଧରେ ହେଉଥିବା ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଲି ସେ ଦର୍ଶାଇଛନ୍ତି। ରାଜ୍ୟସଭାରେ ଟିଏମ୍‌ସି ସାଂସଦମାନେ ଏନ୍‌ଆର୍‌ସି ରିପୋର୍ଟକୁ ନେଇ ହୋହଲ୍ଲା ପରିସ୍ଥିତି ସୃଷ୍ଟି କରିବା ସହିତ ଚିଠା ଉପରେ ଆଲୋଚନା ପାଇଁ ଅଡ଼ିବସିଥିଲେ। ଫଳରେ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରାଯାଇଥିଲା। ଟିଏମ୍‌ସି ନେତା ଡେରେକ୍‌ ଓବ୍ରାଏନଙ୍କ ନେତୃତ୍ୱରେ ଦଳର ସାଂସଦମାନେ ସ୍ୱର ଉଠାଇଥିଲେ। ସେମାନଙ୍କୁ ସମାଜବାଦୀ ପାର୍ଟି ସଦସ୍ୟମାନେ ସମର୍ଥନ ଜଣାଇଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଯାଇଥିଲା।

ସମ୍ବନ୍ଧିତ ଖବର