oକଂଗ୍ରେସ ପାରିଲାନି, ବିଜେପି କରି ଦେଖାଇଲା: ଶାହ
oବିରୋଧୀଙ୍କ ହଟ୍ଟଗୋଳ, ରାଜ୍ୟସଭା ମୁଲତବୀ
oଟିଏମ୍ସି ସାଂସଦ ଅଧିକ ତାତିଲେ
ନୂଆଦିଲ୍ଲୀ: ଆସାମରେ ପ୍ରକାଶ ପାଇଥିବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍ଆର୍ସି) ଚୂଡ଼ାନ୍ତ ଚିଠା ତାଲିକାକୁ ନେଇ ସଂସଦରେ ଆଜି ଝଡ଼ ସୃଷ୍ଟି ହୋଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଲିକାରୁ ୪୦ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ପ୍ରବଳ ଭର୍ତ୍ସନା କରିଛନ୍ତି। ଲୋକସଭାରେ ଟିଏମ୍ସି ସାଂସଦମାନେ ବିଶୃଙ୍ଖଳା ସୃଷ୍ଟି କରିବା ପରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାରେ ମଧ୍ୟ ପ୍ରବଳ ହଟ୍ଟଗୋଳ ପରିସ୍ଥିତି ଉପୁଜିଥିଲା। ତେବେ ରାଜ୍ୟସଭାରେ ଆଜି ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବାକୁ ଯାଇ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଆଜି ଏନ୍ଆର୍ସି ଉପରେ ପ୍ରଶ୍ନ ଉଠାଉଛି। ଦଳ ଭୁଲିଯାଉଛି ଯେ ଏହାକୁ ପ୍ରଥମେ କିଏ ଆଣିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏନ୍ଆର୍ସି କଥା ଉଠାଇଥିଲେ ଏବଂ ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।
ଶାହ କହିଛନ୍ତି, କଂଗ୍ରେସ ପକ୍ଷରୁ ଆସାମ ଚୁକ୍ତି ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲେ ହେଁ, ଏହାକୁ କାର୍ଯ୍ୟକାରୀ ପାଇଁ ଏହି ଦଳ ନିକଟରେ ଆଦୌ ସାହସ ନ ଥିଲା। କିନ୍ତୁ ବିଜେପି ସରକାରଙ୍କ ନିକଟରେ ସେ ସାହସ ରହିଛି। ଶାହଙ୍କ ଏଭଳି ମନ୍ତବ୍ୟକୁ କଂଗ୍ରେସ ସାଂସଦମାନେ ପ୍ରବଳ ବିରୋଧ କରିଥିଲେ। ସେମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା। ତେବେ ଟିଏମ୍ସି ସାଂସଦମାନେ ଆଜି ଗୃହରେ ଏନ୍୍ଆର୍୍ସିକୁ ପ୍ରବଳ ବିରୋଧ କରିଥିଲେ ଏବଂ ଗୃହକାର୍ଯ୍ୟ ବନ୍ଦ କରି ଏନ୍୍ଆର୍ସି ଉପରେ ଆଲୋଚନା ଦାବି କରିଥିଲେ।
ବିଜେପି ବିଧାୟକଙ୍କ ବିବାଦୀୟ ବୟାନ
ହାଇଦ୍ରାବାଦ୍: ଏନ୍ଆରସି (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର) ଚିଠା ତାଲିକାରୁ ୪୦ ଲକ୍ଷ ନାଗରିକ ବାଦ୍ ପଡ଼ିବାକୁ ନେଇ ଏବେ କେନ୍ଦ୍ର ସରକାର ବିରୋଧୀଙ୍କ ପକ୍ଷରୁ ତୀବ୍ର ସମାଲୋଚନାର ଶିକାର ହୋଇଥିବାବେଳେ ଆଜି ଜଣେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ହାଇଦ୍ରାବାଦ୍ର ଗୋସହମା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାଜା ସିଂହ ଆଜି କହିଛନ୍ତି ଯେ ଯଦି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଶରଣାର୍ଥୀମାନେ ଦେଶ ଛାଡ଼ି ନଯାଉଛନ୍ତି ତେବେ ସେମାନଙ୍କୁ ଗୁଳି କରି ମାରି ଦିଆଯିବା ଉଚିତ। ଏଭଳି କଲେ ହିଁ ଆମ ଦେଶ ସୁରକ୍ଷିତ ରହିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏନ୍ଆରସି ତାଲିକା ପ୍ରସଙ୍ଗରେ ବିରୋଧୀଦଳଙ୍କ ସମାଲୋଚନାକୁ ବିରୋଧ କରି ଗୃହମନ୍ତ୍ରୀ ରାଜନାଥ ସିଂହ ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜନୀତି ନକରିବାକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/NRC-Raj-sabha.jpg)