ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବିଜେପିର ଇସ୍ତାହାର ‘ମୋଦୀ କୀ ଗ୍ୟାରେଣ୍ଟି’ ଉନ୍ମୋଚନ କରିଛନ୍ତି। ଏଥିରେ ୟୁନିଫର୍ମ ସିଭିଲ କୋଡ୍ (ସମାନ ନାଗରିକ ସଂହିତା ଏବଂ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନୀତି ଲାଗୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏନ୍ଆର୍ସି ବାଦ୍ ପଡ଼ିଛି। ତେବେ ସିଏଏ (ସଂଶୋଧିତ ନାଗରିକତା ଆଇନ) ଲାଗୁ ସୁନିଶ୍ଚିତ କରାଯାଇଛି। ଇସ୍ତାହାରେ ଚାକିରି, ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା, ସବୁ ଗୃହକୁ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣ ଏବଂ ଯୁବ ବର୍ଗଙ୍କ କଲ୍ୟାଣ ପାଇଁ ଗ୍ୟାରେଣ୍ଟି ଦିଆଯାଇଛି। ମହିଳାଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ଓ ଯୁବବର୍ଗଙ୍କୁ ଚାକିରି ପ୍ରତିଶ୍ରୁତି ଦିଆଯିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ପାଇଁ ପ୍ରତିଶ୍ରୁତି ରହିଛି। ବିଜୁଳି ବିଲ୍ ଶୂନ କରାଯିବା ପ୍ରତିଶ୍ରୁତି ସହ ୩ କୋଟି ଗୃହ ଯୋଗାଣ ପାଇଁ ମଧ୍ୟ ଏହି ଇସ୍ତାହାରରେ ଗ୍ୟାରେଣ୍ଟି ଦିଆଯାଇଛି।
ଚାକିରି, ମାଗଣା ସ୍ବାସ୍ଥ୍ୟସେବା, ଶସ୍ତାରେ ଗ୍ୟାସ୍ ଯୋଗାଣ
ଏକ ଦେଶ ଏକ ନିର୍ବାଚନ, ସମାନ ନାଗରିକ ସଂହିତା ପ୍ରତିଶ୍ରୁତି
ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣା ରାସନ
ଭାରତକୁ ତୃତୀୟ ବୃହତ ଆର୍ଥିକ ଶକ୍ତିରେ ପରିଣତ କରିବାକୁ ଗ୍ୟାରେଣ୍ଟି
ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଭାରତକୁ ସମୃଦ୍ଧ କରିବା, ଏହାର ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦେଶର ଐତିହ୍ୟର ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଇସ୍ତାହାରରେ ଘୋଷଣା ରହିଛି। ଇସ୍ତାହାର ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପିର ସଂକଳ୍ପ ପତ୍ର ବିକଶିତ ଭାରତର ଚାରିଟି ଶକ୍ତିଶାଳୀ ସ୍ତମ୍ଭ- ଯୁବକ, ମହିଳା, ଗରିବ ଏବଂ କୃଷକମାନଙ୍କୁ ସଶକ୍ତ କରିବ। ବୟସ୍କ ନାଗରିକ (୭୦ ବର୍ଷରୁ ଅଧିକ ବୟସ୍କ) ଏବଂ କିନ୍ନର ସମ୍ପ୍ରଦାୟକୁ ଆୟୁଷ୍ମାନ ଭାରତ ଯୋଜନା ପରିସରଭୁକ୍ତ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସହିତ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଜାରି ରହିବ। ‘ମୋଦୀ କୀ ଗ୍ୟାରେଣ୍ଟି’ ଇସ୍ତାହାରରେ ୩ କୋଟି ମହିଳା ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ପିଏମ୍ ହାଉସିଂ ଯୋଜନାରେ ଏବେ ଭିନ୍ନକ୍ଷମଙ୍କୁ ପ୍ରାଥମିକତା ଦିଆଯିବ ଏବଂ ସେମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁଯାୟୀ ଆବାସ ମିଳିବା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରାଯିବ। ଦେଶରେ ନିଯୁକ୍ତି ପରୀକ୍ଷାରେ ଜାଲିଆତି ରୋକିବା ପାଇଁ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ମଧ୍ୟ ଗ୍ୟାରେଣ୍ଟି ଦିଆଯାଇଛି। ଫସଲର ଏମ୍ଏସ୍ପି ବଢ଼ାଇବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାକୁ ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଛି।