ଆସାମ ଏନ୍‌ଆର୍‌ସି, ଚୂଡ଼ାନ୍ତ ତାଲିକାକୁ ବିରୋଧ

ସୁପ୍ରିମ୍‌ କୋର୍ଟ ଯିବ ଅଲ୍‌ ଆସାମ ଷ୍ଟୁଡେଣ୍ଟ୍ସ ୟୁନିୟନ

ଗୌହାଟୀ: ଆସାମରେ ଜାତୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ଆଜି ଜାରି ହୋଇଥିବା ବେଳେ ଏହାକୁ ନେଇ ବିରୋଧର ସ୍ବର ମଧ୍ୟ ତୀବ୍ର ହେବାରେ ଲାଗିଛି । ସୀମାବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ବ୍ୟାପକ ହିଂସା ହୋଇଥିବାରୁ ଏଥର ବ୍ୟାପକ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମ ‌ଷ୍ଟୁଡେଣ୍ଟ୍‌ସ ୟୁନିୟନ (ଆସୁ) ଆଜି କହିଛି ଯେ ଏହି ତାଲିକାକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି ଏଥିରେ ଅନ୍ୟାୟ କରାଯାଇ ଥିବାରୁ ଏହା ବିରୋଧରେ ଆମେ ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ ହେବୁ। ସୂଚନାଯୋଗ୍ୟ, ୧୯୮୫ରେ ହୋଇଥିବା ଆସାମ ଚୁକ୍ତିରେ ଆସୁ ଏକ ପକ୍ଷ ଭାବେ ରହିଥିଲା। ଅନ୍ୟପକ୍ଷରେ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ନେଇ ବିଜେପିରେ ମଧ୍ୟ ବିରୋଧର ସ୍ବର ଉଠିଛି। ରାଜ୍ୟ ଅର୍ଥମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ୧୯୭୧ ପୂର୍ବରୁ ବାଂଲାଦେଶରୁ ଭାରତ ଆସିଥିବା ଅନେକ ଶରଣାର୍ଥୀଙ୍କୁ ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ଦିଆଯାଇଛି। ଭାରତର ନାଗରିକ ହେବାରୁ ଏହି ଲୋକଙ୍କୁ ବଂଚିତ କରାଯିବା ବଡ଼ ଅନ୍ୟାୟ ବୋଲି ସେ କହିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କୁ ସୀମାବର୍ତ୍ତୀ ଜିଲ୍ଲାରେ ଅତି କମ୍‌ରେ ୨୦ ପ୍ରତିଶତ ଲୋକଙ୍କୁ ସେମାନଙ୍କ ପକ୍ଷ ପୁନଃ ରଖିବାକୁ ଅନୁମତି ଦେବା ଆବଶ୍ୟକ। ସେନାରୁ ଅବସର ନେଇଥିବା ଅଧିକାରୀ ମହମ୍ମଦ ସନାଉଲ୍ଲାଙ୍କ ନାମ ମଧ୍ୟ ଚୂଡ଼ାନ୍ତ ତାଲିକାରୁ ଗାଏବ ହୋଇଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହଜାର ହଜାର ହିନ୍ଦୁଙ୍କ ପ୍ରତି ମଧ୍ୟ ଅନ୍ୟାୟ କରାଯାଇଛି ବୋଲି ସେ କହିଛନ୍ତି। ସେମାନଙ୍କୁ ଅନୁପ୍ରବେଶକାରୀ ଦର୍ଶାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶର୍ମା କହିଛନ୍ତି। ବିଜେପି ଆସାମ ରାଜ୍ୟ ସଭାପତି ରଂଜିତ କୁମାର ଦାସ୍‌ କହିଛନ୍ତି, ଆମେ ଏନ୍‌ଆର୍‌ସି ରିପୋର୍ଟକୁ ବିଶ୍ବାସ କରୁନାହିଁ। ଏ ବାବଦରେ କେନ୍ଦ୍ର ସରକାର ଦେଶବ୍ୟାପୀ ଏନ୍‌ଆର୍‌ସି କରାଇବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସନାଉଲ୍ଲା ଏହି ମାମଲାରେ କହିଛନ୍ତି, ତାଙ୍କର ଆବେଦନ ଉପରେ ଏବେ ହାଇକୋର୍ଟରେ ବିଚାର ଚାଲିଛି ଏବଂ ନ୍ୟାୟପାଳିକା ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଗୋର୍ଖା ସଂପ୍ରଦାୟର ୧ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଥିବାରୁ ଭାରତୀୟ ଗୋର୍ଖା ପରିଷଦ (ବିଜିପି) ଘୋର ଉଦ୍‌ବେଗ ପ୍ରକାଶ କରିଛି। ଏହା ସେମାନଙ୍କ ପ୍ରତି ସବୁଠାରୁ ବଡ଼ ଅନ୍ୟାୟ ବୋଲି ବିଜିପି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଗୋର୍ଖା ସଂପ୍ରଦାୟର ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି
ଦେଶବ୍ୟାପୀ ନାଗରିକ ତାଲିକା ପ୍ରକାଶ ଦାବି

ବାଦ୍‌ ପଡ଼ିଥିବା ଲୋକଙ୍କ ପାଖରେ ବିକଳ୍ପ କ’ଣ?
ଗୌହାଟୀ: ଆସାମ ସରକାର ଆଜି ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ୧୯.୬ ଲକ୍ଷ ଲୋକଙ୍କୁ ସ୍ଥାନ ମିଳିନାହିଁ। ଯେଉଁମାନେ ନିଜର ଦାବି ସଂପର୍କିତ ପ୍ରମାଣ ଦାଖଲ କରିପାରି ନାହାନ୍ତି କିମ୍ବା ଆଦୌ ଆବେଦନ କରିନାହାନ୍ତି ସେମାନଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ତେବେ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ତାଲିକା ଏ କ୍ଷେତ୍ରରେ ଶେଷ ପ୍ରକ୍ରିୟା ନୁହେଁ। ଯେଉଁମାନେ ତାଲିକାରୁ ବାଦ୍‌ ପଡ଼ିଛନ୍ତି ସେମାନେ ଏ ବାବଦରେ ଗଠିତ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏହାସହିତ ସେମାନଙ୍କ ପାଖରେ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ପାଇଁ ମଧ୍ୟ ବିକଳ୍ପ ରଖାଯାଇଛି। ଏ ବାବଦରେ ଅଦାଲତର ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ସରକାର ସଂପୃକ୍ତ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଆବେଦନ କରିବା ପାଇଁ ସମୟ ସୀମାକୁ ୬୦ ଦିନରୁ ବଢ଼ାଇ ୧୨୦ ଦିନ କରାଯାଇଛି । ୩୧ ଡିସେମ୍ବର, ୨୦୧୯ ସୁଦ୍ଧା ସେମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି। ଯେଉଁମାନେ ଏ ବାବଦରେ ଆଦୌ ଆବେଦନ କରିବେ ନାହିଁ ସେମାନଙ୍କୁ ଅନୁପ୍ରବେଶକାରୀ ଭାବେ ଧରାଯିବ ଏବଂ ଡିଟେନ୍‌ସନ ସେଣ୍ଟରରେ ରଖାଯିବ।

ସମ୍ବନ୍ଧିତ ଖବର