ନୂଆଦିଲ୍ଲୀ : ଦେଶବ୍ୟାପୀ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସ୍ତୁତି ‌ପାଇଁ କେନ୍ଦ୍ର ସରକାର ସବୁ ଭାରତୀୟ ନାଗରିକଙ୍କ ଡାଟାବେସ୍‌ ବା ତଥ୍ୟ ଜାତୀୟସ୍ତରରେ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି। ଏବେ ଲୋକଙ୍କ ଜନ୍ମ ଏବଂ ମୃତ୍ୟୁର ପଞ୍ଜୀକରଣ ରାଜ୍ୟସରକାରମାନେ ଆଞ୍ଚଳିକ ସ୍ତରରେ କରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଏହା ଜାତୀୟସ୍ତରରେ ପ୍ରସ୍ତୁତ ହେବ। ଏହାପରେ ସରକାର ଜନସଂଖ୍ୟା ପଞ୍ଜିକା ସହିତ ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦିକୁ ଯୋଡ଼ିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଥିପାଇଁ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନରେ ସଂଶୋଧନ ଆଣିବା ନିମନ୍ତେ ଏକ କ୍ୟାବିନେଟ୍ ନୋଟ୍ ଓ ବିଲ୍‌ ପ୍ରସ୍ତୁତ କରିଛି। ଦେଶବ୍ୟାପୀ ନାଗରିକମାନଙ୍କ ପଞ୍ଜିକା ଜାତୀୟସ୍ତରରେ ପ୍ରସ୍ତୁତିକୁ ଏହାର ପ୍ରଥମ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

Advertisment

ପୂର୍ବରୁ ଆଧାର କାର୍ଡକୁ ଭୋଟର ତାଲିକା ସହିତ ସଂଯୋଗ କରିବା ଲାଗି ଏକ ପ୍ରସ୍ତାବ ଆସିଥିଲା। ଏହା ଯଦିଓ ଇଚ୍ଛାଧୀନ ଥିଲା ତଥାପି ନିର୍ବାଚନ କମିସନ ଲୋକ ପ୍ରତିନିଧି ଆଇନରେ ସଂଶୋଧନ ପାଇଁ କରିଥିବା ସୁପାରିସକୁ ସଂସଦରେ ପ୍ରବଳ ବିରୋଧ କରାଯାଇଥିଲା। କିନ୍ତୁ ଏବେ ସରକାର ଉକ୍ତ ତଥ୍ୟକୁ ଜନସଂଖ୍ୟା ପଞ୍ଜିକା, ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦି ସହିତ ଯୋଡ଼ିବେ। ଉକ୍ତ ତଥ୍ୟକୁ ଭାରତର ରେଜିଷ୍ଟ୍ରାର ଜେନେରାଲ ରଖିବେ ଏବଂ ଏହାକୁ ରଖିବା ପାଇଁ ସେ ରାଜ୍ୟସ୍ତରରେ ଥିବା ମୁଖ୍ୟ ରେଜିଷ୍ଟ୍ରାରମାନଙ୍କ ସହିତ ମିଶି କାର୍ଯ୍ୟ କରିବେ। ସମୟକୁ ସମୟ ଏହି ତଥ୍ୟକୁ ଆଧାର କାର୍ଡ, ରାସନ କାର୍ଡ, ଭୋଟର ତାଲିକା, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦି ତଥ୍ୟ ଦାୟିତ୍ବରେ ଥିବା ବିଭିନ୍ନ ସଂସ୍ଥାଙ୍କ ସହଯୋଗରେ ଅପଡେଟ୍‌ କରାଯିବ।

ଜନ୍ମମୃତ୍ୟୁ ପଞ୍ଜୀକରଣ ଆଇନ ସଂଶୋଧନ ହେବ
ପ୍ରସ୍ତୁତ ହୋଇଛି କ୍ୟାବିନେଟ୍ ଚିଠା ଓ ବିଲ୍‌
ଆସନ୍ତା ଅଧିବେଶନରେ ଆସିପାରେ ବିଲ୍‌

publive-image barandbench.com

ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସ୍ତୁତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଆଗକୁ ବଢ଼ିବେ ବୋଲି କ୍ୟାବିନେଟ୍ ଚିଠାରେ କୁହାଯାଇଛି। ଏନ୍‌ଆର୍‌ସିକୁ ଅପଡେଟ୍ କରାଯିବା ସହିତ ବିଭିନ୍ନ ତଥ୍ୟକୁ ଯୋଡ଼ାଯାଇ ଯେଉଁ ପରଦେଶୀମାନଙ୍କୁ ସରକାର ବେଆଇନ ବୋଲି ବିବେଚନା କରିବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ।

ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ସହିତ ଆସାମ ପାଇଁ ପ୍ରଥମେ ଏନ୍‌ଆର୍‌ସି ଘୋଷଣା କରାଯାଇଥିଲା। ପାଖାପାଖି ୩ ବର୍ଷ ତଳେ ଘୋଷଣା ହୋଇଥିବା ଏହି ଯୋଜନାକୁ ଦେଶବ୍ୟାପୀ ପ୍ରବଳ ବିରୋଧ କରାଯାଇଥିଲା। ୨୦୧୫ ପୂର୍ବରୁ ଭାରତର ପଡ଼ୋଶୀ ଦେଶଗୁଡ଼ିକରୁ ଆସିଥିବା ମୁସଲିମବ୍ୟତୀତ ଅନ୍ୟ ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ ପାଇଁ ସିଏଏରେ ବ୍ୟବସ୍ଥା ରହିଛି। ସିଏଏ ସହିତ ଏନ୍‌ଆର୍‌ସି ଦ୍ବାରା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ଉପରେ ଅତ୍ୟାଚାର ହେବାର ସମ୍ଭାବନା ରହିଛି ବୋଲି ଆନ୍ଦୋଳନକାରୀ ମତ ଦେଇଥିଲେ।

ଅନ୍ୟପକ୍ଷରେ କରୋନା ମହାମାରୀ ପାଇଁ ଦେଶରେ ଜନଗଣନା କାର୍ଯ୍ୟ ସ୍ଥଗିତ ରହିଛି। ଏଭଳି ସ୍ଥିତିରେ ସରକାର ଏନ୍‌ଆର୍‌ସି ଭଳି ପଦକ୍ଷେପକୁ ପୁଣିଥରେ ଜୋରଦାର କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। କ୍ୟାବିନେଟରେ ଉକ୍ତ ପ୍ରସ୍ତାବ ଶୀଘ୍ର ଆଗତ ହେବା ସହିତ ସଂସଦର ଆସନ୍ତା ଅଧିବେଶନରେ ସଂଶୋଧନ ବିଲ୍ ଉପସ୍ଥାପନ ହେବା ଆଶା ରହିଛି ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।