ଅଟକିଲା ବିବାଦୀୟ ଏନ୍‌ଆର୍‌ସି ବା ଜାତୀୟ ନାଗରିକ ପଞ୍ଜୀକରଣ ଯୋଜନା

ନୂଆଦିଲ୍ଲୀ : ବ୍ୟାପକ ବିରୋଧ ଏବଂ ହିଂସାକାଣ୍ଡ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବର୍ତମାନ ପାଇଁ ବିବାଦୀୟ ଏନ୍‌ଆର୍‌ସି ବା ଜାତୀୟ ନାଗରିକ ପଞ୍ଜୀକରଣ ଯୋଜନାରୁ ଓହରି ଯାଇଥିବାର ସୂଚନା ମିଳିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ନୂଆଦିଲ୍ଲୀ ରାଲିରେ ଇଙ୍ଗିତ କରିଥିଲେ। ସେ କହିଥିଲେ ‌ଯେ ଏନ୍‌ଆର୍‌ସିକୁ ନେଇ ଜାଣିଶୁଣି ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଏବେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରୁ ନାହାନ୍ତି। ଏନ୍‌ଆର୍‌ସିକୁ ନାଗରିକତା ସଂଶୋଧନ ଆଇନ (ସିଏଏ) ସହ ଯେପରି ଯୋଡ଼ାଯାଉଛି ତାହାର ‌ସେ ନିନ୍ଦା କରିଥିଲେ। ସେ ଆହୁରି କହିଥିଲେ ଯେ ଏସବୁ ଆଇନର ଭାରତୀୟ ମୁସଲମାନ ନାଗରିକର କୌଣସି ସଂପର୍କ ନାହିଁ।

ଆଜି ବିଜେପିର ଜଣେ ନେତା କହିଛନ୍ତି ଯେ ନିକଟ ଭବିଷ୍ୟତରେ ଏନ୍‌ଆର୍‌ସି ଲାଗୁ କରାଯିବାର ସମ୍ଭାବନା ନାହିଁ। ଆସାମରେ ଲାଗୁ ହୋଇଥିବା ଏହି ବ୍ୟବସ୍ଥାକୁ ପର୍ଯ୍ୟାୟ କ୍ରମେ ଅନ୍ୟ ରାଜ୍ୟରେ ଲାଗୁ କରାଯିବ। ତେବେ ଦେଶବ୍ୟାପୀ ଏହାକୁ ନେଇ ଲାଗି ରହିଥିବା ଅସନ୍ତୋଷ ଓ ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ସ୍ଥଗିତ ରଖାଯାଇଛି। ସେ କହିଲେ ଯେ ଏନଆରସି ଏବଂ ସିଏଏକୁ ନେଇ ବିରୋଧୀ ଦଳ ଯେଉଁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ତାହାକୁ ଦୂର କରିବା ଲାଗି ବିଜେପି ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି।

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏଭଳି ସୂଚନା ମିଳିଛି। ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ଦେଇ ସରକାର କହିଛନ୍ତି ଯେ ଦେଶବ୍ୟାପୀ ଏନଆରସି ଲାଗୁ କରିବାକୁ ଘୋଷଣା କରାଯାଇ ନାହିଁ। ଯେତେବେଳେ ଘୋଷଣା କରାଯିବ ସେତେବେଳେ ଏପରି ନିୟମ ଏବଂ ନିର୍ଦେଶାବଳୀ ପ୍ରସ୍ତୁତ କରାଯିବ ଯାହା ଫଳରେ କୌଣସି ଭାରତୀୟ ନାଗରିକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଦେଶବ୍ୟାପୀ ଏନ୍‌ଆର୍‌ସି ଲାଗୁ କରାଯିବ ଏବଂ ୨୦୨୪ ସୁଦ୍ଧା ସମସ୍ତ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ି ଦିଆଯିବ। ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏହି କଥା କହି ଆସୁଥିଲେ।

ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ଼ୀ ଏନଆରସିକୁ ବିରୋଧ କରି କହିଛନ୍ତି ଯେ ତାଙ୍କ ରାଜ୍ୟରେ ଏହାକୁ ଲାଗୁ କରିବାକୁ ଦିଆଯିବ ନାହିଁ। ଏହାପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେରଳ ତଥା କଂଗ୍ରେସ ଶାସିତ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ମତ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର