ଓଡ଼ିଶାରେ ସ୍ତ୍ରୀକୁ ଛାଡି ଆମେରିକା ଚମ୍ପଟ ମାରିଲେ ସ୍ୱାମୀ, ପ୍ରଥମ ବିବାହ ନ ଜଣାଇ ଦ୍ୱିତୀୟ ବିବାହ କରି ଠକିଦେଲେ

ମହିଳା କମିଶନଙ୍କ ନିକଟରେ ଅଭିଯୋଗ କଲେ ପୀଡିତା

ଭୁବନେଶ୍ୱର: ସାତ ଜନ୍ମର ସାକ୍ଷୀ ହେବାକୁ ପତ୍ନୀଙ୍କୁ କଥା ଦେଇଥିଲେ | କିନ୍ତୁ ସାତ ଜନ୍ମ ତ ଦୂରର କଥା,୭୦ ଦିନରେ ମୋହ ତୁଟିଗଲା | ଆମେରିକାରେ ନାମୀ କମ୍ପାନୀରେ ଚାକିରି, ଭଲ ଦରମା ସାଙ୍ଗକୁ ଉଚ୍ଚ ପଦବୀ | କିନ୍ତୁ ଆମେରିକାରେ ଚାକିରି କରୁଥିବା ଜଣେ ସଫ୍ଟୱେୟାର ଇଂଜିନିୟରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ | ଆମେ ଆଜି ଆପଣଙ୍କୁ ଏମିତି ଏକ ବାସ୍ତବ କାହାଣୀ କହିବୁ ଯାହାକି ସ୍ତ୍ରୀକୁ ଧୋକା ଦେଇଥିବା ଜଣେ ସ୍ୱାମୀଙ୍କ ବାବଦରେ ସଚେତନ କରାଇବ |

ଢେଙ୍କାନାଳ ଗୁଡ଼ିଆନାଳି ଅଂଚଳର ସୁବ୍ରତ କୁମାର ନାଥ | ଆମେରିକାର ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିବା ସୁବ୍ରତଙ୍କ ନାମରେ ତାଙ୍କ ସ୍ତ୍ରୀ ସରୋଜିନୀ ବେହେରା ଆଣିଛନ୍ତି ସଙ୍ଗୀନ ଅଭିଯୋଗ | କଟକ ଜିଲ୍ଲା ନିଆଳିର ସରୋଜିନୀ ସହ ସୁବ୍ରତଙ୍କର ବାହାଘର ୨୦୧୯ ମସିହା ମେ ୧୨ ତାରିଖରେ ହୋଇଥିଲା | ବାହାଘର ପରେ ବେଶ ହସଖୁସିରେ କିଛି ଦିନ ସଂସାର ଚାଲିବା ପରେ ଆମେରିକା ନେବାର ପ୍ରତିଶୃତି ଦେଇ ସ୍ୱାମୀ ଚାଲିଗଲେ | ଦୁଇ ମାସ ପରେ ଆସି ଆମେରିକା ନେଇଯିବାର କଥା ଦେଇ ଯାଇଥିବା ସ୍ୱାମୀ ନା ଆଉ ଫେରିଲେ ନା ପତ୍ନୀଙ୍କ ସହ କଥାବାର୍ତ୍ତା ହେଲେ | ଅନ୍ୟପଟେ ସୁବ୍ରତଙ୍କ ମା, ବୋହୂ ସରୋଜିନୀଙ୍କ ଉପରେ ଆରମ୍ଭ କରିଥିଲେ ମାନସିକ ନିର୍ଯାତନା | ‘ଗରିବ ଘର ଝିଅ ଆମେରିକା ଯାଏନି, ସ୍ୱାମୀ ସହ ରହିବାର ଓଉକାତ ନାହିଁ’ ବୋଲି କହି ମାନସିକ ଚାପ ଦେବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ କରନ୍ତି ସରୋଜିନୀ | ତେବେ ଶାଶୂଘରେ ଥିବାବେଳେ ସରୋଜିନୀ ଜାଣିପାରିଥିଲେ ସ୍ୱାମୀଙ୍କର ଆଉ ଏକ ଗୁମର |

ପ୍ରଥମ ବିବାହ ଭାବି ବାହା ହୋଇଥିବା ସୁବ୍ରତ ପୂର୍ବରୁ ମଧ୍ୟ ବାହା ହୋଇଥିଲେ | ଆଉ ବାହାଘର ପୂର୍ବରୁ ଏ ବାବଦରେ ନ ଜଣାଇ ସେ ସରୋଜିନୀଙ୍କୁ ବିବାହ କରିଥିଲେ | ବର୍ତ୍ତମାନ ସ୍ୱାମୀଙ୍କୁ ଫୋନ କଲେ ସେ ଉଠାଉ ନଥିବାବେଳେ ଶ୍ୱଶୁର ଘର ପକ୍ଷରୁ ସରୋଜିନୀଙ୍କୁ ମୁହଁ ଖୋଲିଲେ ଭଲ ହେବ ନାହିଁ ବୋଲି ଧମକ ଦିଆଯାଉଛି | ଅନ୍ୟପଟେ ସୁବ୍ରତଙ୍କ ବାପା ଦେବବ୍ରତ ନାଥଙ୍କୁ ଯୋଗାଯୋଗ କରାଯିବା ବେଳେ ସେ ଏହି ଘଟଣାରେ ଚୁପ ରହିବା ସହ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ | ଆଉ ଏହି ଘଟଣାକୁ ନେଇ ପୀଡିତା ଜଣକ ମହିଳା କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ (OSCW/CUT/E/2020/026) କରିଛନ୍ତି |

ସୂଚନା ଥାଉ କି, ପୂର୍ବରୁ ଉତ୍ତର ଭାରତରେ ଏଭଳି ଠକେଇ ଘଟଣା ସାମ୍ନାକୁ ଆସିଥିଲା | ଯେଉଁଠାରେ ବିଦେଶରେ ସ୍ୱାମୀ ରହୁଥିବାବେଳେ ଭାରତରେ ବିବାହ କରି ପତ୍ନୀଙ୍କୁ ଛାଡି ଚାଲିଯାଉଥିଲେ | ଆଉ ଓଡ଼ିଶାରେ ଏଭଳି ଘଟଣା ଜଣାପଡିବା ପରେ ଏହା ପ୍ରଥମ ବୋଲି କୁହାଯାଉଛି | ତେବେ ସରୋଜିନୀଙ୍କ ପ୍ରତି ହୋଇଥିବା ଏଭଳି ଠକେଇ ବାବଦରେ ବୈଦେଶିକ ମନ୍ତ୍ରାଳୟକୁ ଅଭିଯୋଗ ପରେ ଏ ବାବଦରେ ଜଣାପଡିଛି |

ସମ୍ବନ୍ଧିତ ଖବର