ଭାରତ-ଚୀନ୍‌ ସୀମାରେ ସ୍ଥିତି ସମୀକ୍ଷା କଲେ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ୍‌

ନୂଆଦିଲ୍ଲୀ: ପୁଣି ଥରେ ସୀମା ବିବାଦକୁ କେନ୍ଦ୍ରକରି ଭାରତ- ଚୀନ୍‌ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଛି। ସଂପ୍ରତି ଏଲ୍‌ଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ରହିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍‌ ସୀମାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଗତ, ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ସୋ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ରୋକିବା ପରେ ଏହି ନୂତନ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ, ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ସେନାର ବ୍ରିଗେଡ୍‌ କମାଣ୍ଡରଙ୍କ ସହ ଚୀନ୍‌ ପ୍ରତିପକ୍ଷ ବୈଠକ ଚଳାଇଥିବା ବେଳେ ଖୋଦ୍‌ ଏନ୍‌ଏସ୍‌ଏ ଡୋଭାଲ ସୀମାନ୍ତରେ ସ୍ଥିତି ସମୀକ୍ଷା କରିବା ଘଟଣାକୁ ବିଶେଷଜ୍ଞ ଓ କୂଟନୈତିକ ମହଲ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖର ଗଲାନ୍‌ ଉପତ୍ୟକାରେ ଦୀର୍ଘ ଚାରିମାସ ତଳେ ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟ ମୁହାଁମୁହିଁ ସ୍ଥିତିର କରାଳ ରୂପ ଅଢ଼େଇ ମାସ ତଳେ ଜୁନ୍‌ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥିଯୋଗୁଁ ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଁ ଦୁଇଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଦ୍ଵିପାକ୍ଷିକ ଆଲୋଚନା ଜାରି ରହିଛି। ଏଭଳି ପରିସ୍ଥିତିରେ ଚୀନ ସୈନିକମାନେ ଶନିବାର ମଧ୍ୟରାତ୍ରରେ ଆଉ ଏକ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେମାନେ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିବାରୁ ଭାରତୀୟ ଯବାନମାନେ ମଧ୍ୟ ତାହାର ଦୃଢ଼ ପ୍ରତିରୋଧ କରିଥିଲେ। ଫଳରେ ସୀମାରେ ଦୁଇ ସେନା ପୁଣି ଥରେ ଧସ୍ତାଧସ୍ତି ହେବା ସହିତ ମୁହାଁମୁହିଁ ହୋଇ ହୋଇଥିଲେ।

OneIndia

ଭାରତୀୟ ସେନାବାହିନୀର ସୂଚନାନୁଯାୟୀ, ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ସାମରିକ ସ୍ତରୀୟ ଓ କୂଟନୈତିକ ଆଲୋଚନାର ନିଷ୍କର୍ଷ ସ୍ୱରୂପ ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏକ ନିର୍ଦ୍ଦିଷ୍ଟ ଇଲାକାକୁ ଉଭୟ ପକ୍ଷ ନିରପେକ୍ଷ ଅଞ୍ଚଳ ଭାବେ ବିବେଚନା କରିବାକୁ ସହମତ ହୋଇଥିଲେ। ତେବେ ଗତ ୨୯ ତାରିଖ ମଧ୍ୟରାତି ଓ ୩୦ ତାରିଖ ସକାଳ ମଧ୍ୟରେ ଚୀନ ସେନା ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବାକୁ ଉଦ୍ଦେଶ୍ୟମୂଳକ ଭାବେ ପାଙ୍ଗଙ୍ଗ ସୋ ହ୍ରଦ କୂଳରେ କିଛି ବାଟ ଯାଏ ମାଡ଼ି ଆସିଥିଲେ। ତେବେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ଯବାନମାନେ ସେମାନଙ୍କୁ ପଛକୁ ହଟାଇ ସେମାନଙ୍କର ଏପରି ଏକତରଫା ନିରପେକ୍ଷ ଅଞ୍ଚଳ ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ତେବେ ଏହି ସଦ୍ୟ ବିବାଦର ସମାଧାନ ପାଇଁ ଚୁସୁଲ ଠାରେ ଦୁଇ ଦେଶର କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍‌ ସୀମାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର