କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ: ପହଞ୍ଚିଲେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ: କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନକୁ ଜୋର୍‌ଦାର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଆଜି ଏନ୍‌ଏସ୍‌ଜି କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରାଡାର ସହ ଶ୍ରୀନଗରରେ ପହଞ୍ଚିଛନ୍ତି। ସେନା, ପୁଲିସ ଏବଂ ସିଆର୍‌ପିଏଫ୍‌ ସହ ତାଳମେଳ ରଖି ଏନ୍‌୍‌ଏସ୍‌ଜି କମାଣ୍ଡୋମାନେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବେ ଏବଂ ପୂର୍ବରୁ ଚାଲିଥିବା ଅପରେସନ୍‌ ଅଲ୍‌ ଆଉଟ୍‌ ଆହୁରି ବ୍ୟାପକ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୨୪ ଜଣ ଏନ୍‌୍‌ଏସ୍‌୍‌ଜି ସ୍ନାଇପର ଏହି ଅପରେସନରେ ସାମିଲ ହୋଇଥିବା ବେଳେ ୨ ଶହରୁ ଅଧିକ ସ୍ୱତନ୍ତ୍ର କମାଣ୍ଡୋ ଏଥିରେ ଅଂଶଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରାଳୟ କଶ୍ମୀରରେ ଏନ୍‌୍‌ଏସ୍‌ଜି କମାଣ୍ଡୋ ଅପରେସନକୁ ଗତମାସରେ ମଂଜୁରି ପ୍ରଦାନ କରିଥିଲେ। କଶ୍ମୀର ଘାଟିରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ସହ ଏବେ ନିର୍ଣ୍ଣାୟକ ଲଢ଼େଇ ହେବ ଏବଂ ଏଥିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ମଧ୍ୟ ସହାୟତା ନିଆଯିବ। ଉପଗ୍ରହ ମାଧ୍ୟମରେ ଆତଙ୍କବାଦୀଙ୍କ ଶିବିର ଓ ଗତିବିଧି ଠାବ କରିବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେବ। ଗତବର୍ଷ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସୁରକ୍ଷା ବାହିନୀର ୮୦ ଜଣ ସଦସ୍ୟ ସହିଦ ହୋଇଯାଇଥିବା ବେଳେ ୭୦ ନାଗରିକ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ମେ ୩୦ ତାରିଖ ସୁଦ୍ଧା ୩୦ ଜଣ ଯବାନ ଏବଂ ୩୫ ଜଣ ନାଗରିକ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଏବେ ଚାଲିଥିବା ଅପରେସନ୍‌୍‌ ଅଲ୍‌ ଆଉଟ୍‌ରେ ୫ ଦିନ ଭିତରେ ୯ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଘାଟିରେ ମୋଟ ୨୧୦ ଜଣ ଆତଙ୍କବାଦୀ ସକ୍ରିୟ ଥିବା ରିପୋର୍ଟ ମିଳିଛି। କଶ୍ମୀରର ସର୍ବାଧିକ ବିଶୃଙ୍ଖଳିତ ଅଂଚଳରେ ଏବେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ଅଧିକ କଠୋର କରିବା ପାଇଁ କେନ୍ଦ୍ର ସରକାର ସଙ୍କେତ ଦେଇସାରିଛନ୍ତି। ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଗତକାଲିଠାରୁ ଲାଗୁହେବା ସହ ସେନା, ପୁଲିସ ଏବଂ ସିଆର୍‌ପିଏଫ୍‌୍‌ର ମିଳିତ ଅଭିଯାନ ମଧ୍ୟ ବ୍ୟାପକ ହୋଇଛି। ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନ୍‌୍‌ଏସ୍‌୍‌ଜି କମାଣ୍ଡୋଙ୍କ ଅପରେସନ ପ୍ରଥମେ ଦକ୍ଷିଣ କଶ୍ମୀରରୁ ଆରମ୍ଭ ହେବ ବୋଲି କୁହାଯାଉଛି। ରାଜ୍ୟରେ ପିଡିପି-ବିଜେପି ସରକାରର ପତନ ଘଟିଥିବାରୁ ସେନା ଉପରେ ଏବେ କୌଣସି ରାଜନୈତିକ ଚାପ ନାହିଁ। ଏପ୍ରିଲ ୧୭ ତାରିଖରୁ ମେ ୧୬ ତାରିଖ ମଧ୍ୟରେ ଜମ୍ମୁ କଶ୍ମୀରରେ ୨୫ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ରମ୍‌ଜାନ ମାସରେ ମେ ୧୭ରୁ ଜୁନ୍‌ ୧୩ ମଧ୍ୟରେ ୬୬ଟି ଆତଙ୍କବାଦୀ କାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର