ସାଇବର ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି ଏନଏସଜି: ରାଜନାଥ ସିଂହ

ହାଇଦ୍ରାବାଦ : ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଏକ ବିଶ୍ୱସ୍ତରୀୟ ଶକ୍ତି ଏବଂ ଅତି କମ୍ ସମୟ ମଧ୍ୟରେ ଯେକୌଣସି ଆକ୍ରମଣର ମୁକାବିଲା କରିବାରେ ସକ୍ଷମ । ତେବେ ଆଜିକାଲି ଆତଙ୍କବାଦର ଚେର ସୋସିଆଲ ମିଡିଆକୁ ମଧ୍ୟ ସଂପ୍ରସାରିତ ହୋଇଛି । ଏଣୁ ନୂଆ ଚାଲେଞ୍ଜର ମୁକାବିଲା ଲାଗି ଏନଏସଜିକୁ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ।

ହାଇଦ୍ରାବାଦ ଇବ୍ରାହିମପଟନମଠାରେ ଏନଏସଜି ସ୍ପେସିଆଲ କମ୍ପୋଜିଟ୍ ଗ୍ରୁପର ୨୮ତମ କମ୍ପ୍ଲେକ୍ସ ଉଦଘାଟନ କରି ସେ ଏହା କହିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଲେ ଯେ, ସେନା ଓ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନେଇ ଗଠିତ ଏନଏସଜି ଆତଙ୍କବାଦୀ ଆକ୍ରମଣ/ଅପହରଣ ଉଦ୍ୟମ ଆଦି ପ୍ରତିହତ କରିବା ସହ ବହୁମୁଖୀ ନିରାପତ୍ତା ଯୋଗାଇଥାଏ । ଏନଏସଜି ହବରେ ସ୍ୱଦେଶୀ ଜ୍ଞାନ କୌଶଳ ଜରିଆରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ରାଜ୍ୟ ପୁଲିସର ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ସେମାନଙ୍କ ସହ ଏନଏସଜି ମିଳିତ ଭାବେ ମଧ୍ୟ ଅଭ୍ୟାସ କରିଥାଏ । ୨୬/୧୧ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀ ଆକ୍ରମଣର ତ୍ୱରିତ ମୁକାବିଲା ଲକ୍ଷ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏନଏସଜି ହବ୍ ପ୍ରତିଷ୍ଠା କରାଯାଇଛି । ସେଗୁଡ଼ିକ ହେଲା ମୁମ୍ବାଇ (ଏନଏସଜି ୨୬), ଚେନ୍ନାଇ (ଏନଏସଜି ୨୭), ହାଇଦ୍ରାବାଦ (ଏନଏସଜି ୨୮), କୋଲକାତା (ଏନଏସଜି ୨୯) ଏବଂ ଗାନ୍ଧୀନଗର (ଏନଏସଜି ୩୦) ।

ଏହି ଅବସରରେ ଏନଏସଜି ସୁଦୀପ ଲଖାଟକିଆ କହିଥିଲେ, ହାଇଦ୍ରାବାଦସ୍ଥିତ ଏନଏସଜି ଅଧୀନରେ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନା ରହୁଛି । ସେ କହିଥିଲେ ଯେ ଏନଏସଜି ନିଜ ଦକ୍ଷତା ବୃଦ୍ଧି କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ସହ ମିଳିତ ଭାବେ ଅଭ୍ୟାସ କରିଛି । ଏନଏସଜି ୧୧୫ଟି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ସହ ୩ଟି ଅଶୋକ ଚକ୍ର, ୩ଟି କୀର୍ତ୍ତି ଚକ୍ର, ୩ଟି ସୌର୍ଯ୍ୟଚକ୍ର, ୧୦୯ଟି ପୁଲିସ ପଦକ ହାସଲ କରିଛି, ଯାହାକି ଏନଏସଜିର ପ୍ରତିଷ୍ଠା ବୃଦ୍ଧି କରିଛି । ଇବ୍ରାହିମପଟନମଠାରେ ଥିବା ଏନଏସଜି ହବ୍ ୨୦୦ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି ।

ସମ୍ବନ୍ଧିତ ଖବର