ଆତଙ୍କବାଦୀଙ୍କ ବିରୋଧରେ ଭାରତର ସୁଦର୍ଶନ ଚକ୍ର ହେଉଛନ୍ତି ଏନଏସଜି କମାଣ୍ଡୋ : ରାଜନାଥ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ବିରୋଧରେ ଏନଏସଜି ବା ବ୍ଲାକ କ୍ୟାଟ କମାଣ୍ଡୋମାନେ ହେଉଛନ୍ତି ଭାରତର ସୁଦର୍ଶନ ଚକ୍ର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଏହି ବାହିନୀର ସେ କହିଛନ୍ତି ଯେ ଯେକୌଣସି ଆନ୍ତର୍ଜାତିକ ଫୋର୍ସ ସହ ଏହା ତୁଳନୀୟ । ଏହା ଅନ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ନୁହେଁ ବରଂ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠ । ପ୍ରତିଷ୍ଠାର ୩୪ ବର୍ଷ ମଧ୍ୟରେ ଏନଏସଜି ଦେଶର ନିରାପତ୍ତା ବଳୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆତଙ୍କବାଦୀଙ୍କ ମୁକାବିଲା, ଆଣ୍ଟି ହାଇଜାକିଂ, କ୍ଲୋଜ୍ ପ୍ରୋଟେକ୍ସନ ଆଜି ବହୁମୁଖୀ ଭୂମିକାରେ ଏନଏସଜି ନିଜର ପାରଦର୍ଶିତା ପ୍ରମାଣିତ କରିପାରିଛି । ଯାହାବି ଗୁରୁ ଦାୟିତ୍ୱ ଏନଏସଜିକୁ ଦିଆଯାଇଛି, ତାହାକୁ ଫୋର୍ସ ସଫଳତାର ସହ ତୁଲାଇପାରିଛି । ଶତ୍ରୁମାନେ ଏହାର ଦକ୍ଷତା ପ୍ରତି ଭୟଭୀତ ହୋଇପଡ଼ିଥିବା ବେଳେ ଦେଶବାସୀଙ୍କ ବିଶ୍ୱାସ ଅତୁଟ ରହି ଚାଲିଛି ବୋଲି ସେ କହିଥିଲେ । ସେ କହିଛନ୍ତି ଅପରେସନ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ସରକାର ଦେଶର ବିଭିନ୍ନ ସ୍ଥାନରେ ଏନଏସଜି ହବ ପ୍ରତିଷ୍ଠା କରାଯାଉଛି । ନିକଟରେ ହାଇଦ୍ରାବାଦଠାରେ ଏକ ଏନଏସଜି ହବ ପ୍ରତିଷ୍ଠା କରାଯାଇଛି ।
ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏନଏସଜିର ୱେବସାଇଟ ଓ ଟ୍ୱିଟର ହ୍ୟାଣ୍ଡଲର ଶୁଭାରମ୍ଭ କରିଥିଲେ । ଯବାନ୍ ଓ ସେମାନଙ୍କ ପରିବାରଙ୍କୁ ମଧ୍ୟ ସେ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଏନଏସଜି କମାଣ୍ଡୋମାନେ ଡ୍ରୋନ୍, ଆସଲ୍ଟ ଅସ୍ତ୍ର, କୁକୁର ୟୁନିଟ୍, ସ୍ପେସାଲ ୟୁନିଟର ଏୟାର ଡ୍ରପିଂ ଆଦି ଚମତ୍କାର କୌଶଳ ପ୍ରଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର