ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଛି ବୋଲି ନିଟ୍‌ ଛାତ୍ରୀ କରିଥିବା ଅଭିଯୋଗକୁ ଅସ୍ବୀକାର କଲା ଏନ୍‌ଟିଏ

କୋଲାମ: କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏବେ ସେହି ଅଭିଯୋଗକୁ ଅସ୍ବୀକାର କରିଛି ନିଟ୍‌ ପରୀକ୍ଷାକୁ ପରିଚାଳନା କରୁଥିବା ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)। ଏହି ଅଭିଯୋଗକୁ ସେଣ୍ଟର୍‌ର ସୁପର୍‌ଟେଣ୍ଡେଣ୍ଟ୍‌, ସ୍ବାଧୀନ ପର୍ଯ୍ୟବେକ୍ଷକ ଓ ନଗର ସ‌ଂଯୋଜକ ସମସ୍ତେ ଅସ୍ବୀକାର କରି ଏପରି କିଛି ଘଟିନାହିଁ ବୋଲି କହିଛନ୍ତି।

ଏକ ବିବୃତ୍ତି ଜାରି କରାଯାଇ ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ ‘ପରୀକ୍ଷା ଶେଷ ହେବା ପରେ ସେପରି ଅଭିଯୋଗ କାହାଠାରୁ ମିଳିନାହିଁ। ଏପରି କୌଣସି ଘଟଣାକୁ ନେଇ ଏନ୍‌ଟିଏ କିଛି ବି ମେଲ୍‌ କିମ୍ବା ଅଭିଯୋଗ ପାଇନାହିଁ।’

କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି ବୋଲି ଗତକାଲି ଛାତ୍ରୀଙ୍କ ଅଭିଭାବକ ଅଭିଯୋଗ ଆଣିଥିଲେ। ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ ସୁରକ୍ଷା ଯାଞ୍ଚ ବେଳେ ସେମାନଙ୍କ ଅନ୍ତବସ୍ତ୍ରର ମେଟାଲିକ ହୁକ ଯୋଗୁ ଶବ୍ଦ ଶୁଣାଯାଉଥିବାରୁ ଉକ୍ତ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଅନ୍ତବସ୍ତ୍ର ଖୋଲିଦେବା ଲାଗି ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା । ଜନୈକା ପରୀକ୍ଷାର୍ଥୀଙ୍କ ବାପା ପୁଲିସ ନିକଟରେ ଏପରି ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।  ସେହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର