କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପୂର୍ବ ସଂକ୍ରମିତଙ୍କ ପାଇଁ ବିପଦ ଅଧିକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ । ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ତେବେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ବିଶ୍ୱର ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଆକ୍ରାନ୍ତ ହେଲାଣି । ତେଣୁ ଆସନ୍ତୁ ଜାଣିବା ଆରଟି-ପିସିଆର୍ ଟେଷ୍ଟରେ ଓମିକ୍ରନ ଭାରିଆଣ୍ଟର ସଂକ୍ରମଣକୁ ଜାଣିହେବ କି ନାହିଁ?

ଓମିକ୍ରନ୍ ଭାରିଆଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
• ଓମିକ୍ରନ୍ ହେଉଛି କରୋନା ଭାଇରସର ଏକ ନୂଆ ରୂପ, ଯାହାକି ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି । ନେଟୱର୍କ ଫର୍ ଜିନୋମିକ୍ ସର୍ଭେଲାନ୍ସ ଇନ୍ ସାଉଥ୍ ଆଫ୍ରିକାର କହିବା ମୁତାବକ, ଏହି ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରର ଗୌତଙ୍ଗେ ଅଞ୍ଚଳରେ ଲୋକଙ୍କୁ ଅଧିକ ସଂକ୍ରମିତ କରିଛି ।

• ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ଏହି ଓମିକ୍ରନ ଭାରିଆଣ୍ଟ ପୂୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଅର୍ଥାତ ଏହି ନୂଆ ଭାରିଆଣ୍ଟ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ତେବେ ଏଥର ଖୁସି ଖବର ହେଉଛି ଆରଟି-ପିସିଆର୍ ଟେଷ୍ଟ ମାଧ୍ୟମରେ ଏହି ଭୂତାଣୁକୁ ଚିହ୍ନଟ କରିହେବ ବୋଲି ସୂଚନା ମିଳିଛି ।

• ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାରମ୍ଭିକ ଅନୁସନ୍ଧାନ ପରେ ଜାଣିପାରିଛି ଯେ, ପୂର୍ବରୁ ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ଅର୍ଥାତ ଆପଣ ଯଦି ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇଥିଲେ ତେବେ ଅଧିକ ସତର୍କ ରହିବା ଆବଶ୍ୟକ ।

Experts ExplainThe Different COVID-19 Tests: Rapid Antigen Vs RT-PCR Test, Which Is Better? | News

•ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ତା ସହିତ ଭ୍ୟାକ୍ସିନ ଉପରେ ମଧ୍ୟ କାମ ଆରମ୍ଭ କରିଦେଇଛି । ଏହି ନୂଆ ଭାରିଆଣ୍ଟକୁ ଭ୍ୟାକ୍ସିନ କେତେ ଦୂର ଟକ୍କର ଦେଇପାରିବ ସେ ନେଇ ମଧ୍ୟ ଗବେଷଣା ଆରମ୍ଭ ହୋଇଯାଇଛି । ତେବେ ଏହା କେତେ ଫଳପ୍ରଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିିନାହିଁ ।

• ଏ ପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା କେତେ ଗମ୍ଭୀର ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ଓମିକ୍ରନ ଭାରିଆଣ୍ଟର ଲକ୍ଷଣ ପୂର୍ବ ଭାରିଆଣ୍ଟ ଅପେକ୍ଷା କେତେ ଭିନ୍ନ ତାହା ମଧ୍ୟ ସଠିକ୍ ଭାବେ କୁହାଯାଇନାହିଁ ।

• ବର୍ତ୍ତମାନର ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହା ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ହେଉଛି ନା ଏହାର କାରଣ ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନି। ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ହେଲେ ଓମିକ୍ରନ ସଂକ୍ରମଣ କେତେ ଭୟାନକ କି ନୁହେଁ ତାହା ଜାଣିବାକୁ କିଛି ସମୟ ଲାଗିପାରେ ବୋଲି କୁହାଯାଉଛି ।

• ଶେଷରେ ସବୁ ବିଶେଷଜ୍ଞଙ୍କ ମତ ଅନୁସାରେ, ଟିକାକରଣ ଏହି ଦିଗରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୋଭିଡ୍ ନିୟମ ଅନୁପାଳନ ସହିତ ଦୁଇ ଡୋଜ୍ ଟିକା ନେବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର