ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସହିତ ୭ ରାଜ୍ୟର ୮ ବିଧାନସଭା ପାଇଁ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ଏଥିରେ ଓଡ଼ିଶାର ନୂଆପଡ଼ା ରହିଛି। ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିବାବେଳେ ନିର୍ବାଚନ କମିସନ ଆଜି ୪୭୦ ଅଧିକାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ନିଯୁକ୍ତ ହୋଇଥିବା ୪୭୦ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ୩୨୦ ଜଣ ଆଇଏଏସ୍, ୬୦ ଜଣ ଆଇପିଏସ୍ ଏବଂ ୯୦ ଜଣ ଆଇଆର୍ଏସ୍, ଆଇଆର୍ଏଏସ୍ ଏବଂ ଆଇସିଏଏସ୍ ଆଦି ସର୍ବଭାରତୀୟ ସେବା ବର୍ଗରୁ ରହିଛନ୍ତି। ଅଧିକାରୀମାନେ ବିହାର ଓ ଅନ୍ୟାନ୍ୟ ରାଜ୍ୟକୁ ଯିବା ପୂର୍ବରୁ ଆସନ୍ତା ମାସ ୩ ତାରିଖରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ସେମାନଙ୍କ ସହ ଏକ ବୈଠକ କରିବେ। ଦିଲ୍ଲୀର ଦ୍ବାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ୍ ଇଲେକ୍ସନ୍ ମ୍ୟାନେଜମେଣ୍ଟ ପରିସରରେ ଏହି ବୈଠକ ହେବ। ଏମାନେ ସାଧାରଣ, ଖର୍ଚ୍ଚ ଓ ପୁଲିସ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ।
ଓଡ଼ିଶାର ନୂଆପଡ଼ା ସମେତ ଅନ୍ୟ ଯେଉଁ ରାଜ୍ୟର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ସେଗୁଡ଼ିକ ମଧ୍ୟରେ ଜମ୍ମୁକାଶ୍ମୀରର ବଡ଼ଗାମ ଓ ନାଗରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟିଶୀଳା, ତେଲେଙ୍ଗାନାର ଜୁବୁଲି ହିଲ୍ସ, ପଞ୍ଜାବର ତରନ୍ତାରନ ଓ ମିଜୋରାମର ଡାମ୍ପା ରହିଛି। ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ବିଶ୍ବସନୀୟ ଭାବେ ପରିଚାଳନା କରିବାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ସେମାନେ କମିସନଙ୍କ ଆଖି ଓ କାନ ଭାବେ କାର୍ଯ୍ୟ କରିବେ। ନିଯୁକ୍ତି ହେବା ଦିନଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କମିସନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/fshfshfxbv-2025-09-29-03-16-44.jpg)