ୟୁକ୍ରେନ ଯୁଦ୍ଧ ପରେ ବିଶ୍ବରେ ବଢିଯାଇଛି ଅଣୁ ଅସ୍ତ୍ରର ଚାହିଦା

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ପରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ନିଜର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଫଳରେ ଅଧିକରୁ ଅଧିକ ରାଷ୍ଟ୍ର ଆଣବିକ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା କରୁଛନ୍ତି । ଏହା ଫଳରେ ଆଗାମୀ ୧୦ ବର୍ଷରେ ବିଶ୍ବର ଆଣବିକ କ୍ଷେପଣାସ୍ତ୍ର ଓ ବୋମା ବଜାର ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଚାଲିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ବ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଯୁଦ୍ଧ ରୋକିବାକୁ ଜାତିସଂଘର ଅପାରଗତାକୁ ମଧ୍ୟ ଏହା ପ୍ରମାଣିତ କରିଛି । ଏ ପରିପ୍ରେକ୍ଷୀରେ ବିଶ୍ବର ବିଭିନ୍ନ ଦେଶ ନିଜର ସୁରକ୍ଷା ନେଇ ଚିନ୍ତିତ ହେବା ସହ ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ବିଶେଷକରି ଆଣବିକ ଶକ୍ତି ସଂପନ୍ନ କ୍ଷେପଣାସ୍ତ୍ର ଓ ବୋମାର ଚାହିଦା ବଢିଯାଇଛି । ୟୁକ୍ରେନ ପାଖରେ ଯଦି ଅଣୁ ଅସ୍ତ୍ର ଥାନ୍ତା, ତେବେ ରୁଷ ଆକ୍ରମଣ କରିବାକୁ ସାହାସ କରିନଥାନ୍ତା ବୋଲି ମନେକରାଯାଉଛି । ଏହାକୁ ଦୃଷ୍ଟି ରଖି ଅଧିକରୁ ଅଧିକ ଦେଶ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା କରୁଛନ୍ତି । ଏହା ଫଳରେ ଆଗାମୀ ୧୦ ବର୍ଷରେ ବିଶ୍ବର ଆଣବିକ କ୍ଷେପଣାସ୍ତ୍ର ଓ ବୋମା ବଜାର ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଚାଲିବ ବୋଲି ଆଲାଏଡ୍ ମାର୍କେଟ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ଏହି ଆଣବିକ କ୍ଷେପଣାସ୍ତ୍ର ଓ ବୋମା ବଜାରର ଆକାର ୭୩ ବିଲିୟନ ଡଲାର ଥିଲା । ୨୦୩୦ ବେଳକୁ ତାହା ୭୨.୬ ପ୍ରତିଶତ ବୃଦ୍ଧି ପାଇ ୧୨୬ ବିଲିୟନ ଡଲାରରେ ପହଞ୍ଚିବ । କେବଳ ଆମେରିକା, ରୁଷ କିମ୍ବା ଚୀନ ନୁହଁନ୍ତି, ଭାରତ, ପାକିସ୍ତାନ ମଧ୍ୟ ନିଜର ଅଣୁ ଅସ୍ତ୍ର ସଂଖ୍ୟା ବଢାଇବେ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର