ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚୀନର ଚକ୍ରାନ୍ତକୁ ପଣ୍ଡ କଲେ ଫ୍ରାନ୍ସ,ଆମେରିକା

ନ୍ୟୁୟର୍କ : ଜାତସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚୀନ ଚକ୍ରାନ୍ତ କରୁଛି । ପାକିସ୍ତାନର ଅନୁରୋଧ କ୍ରମେ ଚୀନ ଏହି ଚକ୍ରାନ୍ତ କରୁଛି । କିନ୍ତୁ ଗତ ଥର ପରି ଏଥର ମଧ୍ୟ ଚୀନ ଓ ପାକିସ୍ତାନର ଏହି ଚକ୍ରାନ୍ତ ପଣ୍ଡ ହେବାକୁ ଯାଉଛି । କାରଣ ଫ୍ରାନ୍ସ, ଆମେରିକା ଓ ଋଷିଆ ପରି ଦେଶ ଏହାକୁ ବିରୋଧ କରୁଛନ୍ତି ।

ଏକ ଆଫ୍ରିକୀୟ ଦେଶ ପ୍ରସଙ୍ଗରେ ବୁଧବାରଦିନ ଜାତିସଂଘରେ ଏକ ଗୋପନ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଯୋଗ ଦେବେ । କିନ୍ତୁ ଏହି ବୈଠକର ସୁଯୋଗ ନେଇ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚୀନ ନୋଟିସ ଦେଇଥିଲା । କିନ୍ତୁ ଫ୍ରାନ୍ସ ଏହାକୁ ବିରୋଧ କରିଛି । ଫ୍ରାନ୍ସର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ସମସ୍ୟା ଦ୍ୱିପାକ୍ଷିକ ଆଲୋଚନା ଭିତ୍ତିରେ ସମାଧାନ ହେଉ ବୋଲି ଫ୍ରାନ୍ସ ନିଜ ଆଭିମୁଖ୍ୟ ଅପରିବର୍ତ୍ତିତ ରଖିଛି । ଗତ ମାସରେ ମଧ୍ୟ ଚୀନ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଫ୍ରାନ୍ସ, ଆମେରିକା, ଋଷିଆ ଓ ବ୍ରିଟେନର ବିରୋଧ ଯୋଗୁଁ ତାହା ବିଫଳ ହୋଇଥିଲା ।
ଭାରତ ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ଏହା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସଂପର୍କ ଖରାପ ହୋଇଚାଲିଛି ।

ସମ୍ବନ୍ଧିତ ଖବର