ନୁଦୁରାମଙ୍କୁ ମରଣୋତ୍ତର ‘ବୀର ଚକ୍ର’: ଅରୂପ କୁମାର ସାସ୍‌ମଲଙ୍କୁ ଅତି ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ନାଏବ ସୁବେଦାର ସହିଦ ନୁଦୁରାମ ସୋରେନଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଛି। ଆଜି ରାଷ୍ଟ୍ରପତି ଭବନର ‘ଦରବାର ହଲ୍‌’ରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ନୁଦୁରାମଙ୍କ ପତ୍ନୀ ଲକ୍ଷ୍ମୀମଣି ସୋରେନଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସେହି ଭଳି ଉତ୍ସବରେ ବରିଷ୍ଠ ଓଡ଼ିଆ ଅଧିକାରୀ ତଥା ସ୍ଥଳସେନାରେ ଉପମୁଖ୍ୟ ଲେପ୍‌ଟେନାଣ୍ଟ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ‘‌ପରମ ବିଶିଷ୍ଟ ସେବା ମେଡାଲ’ ଓ ମେଜର ଜେନେରାଲ ଅରୂପ କୁମାର ସାସମଲଙ୍କୁ ‘ଅତି ବିଶିଷ୍ଟ ସେବା ମେଡାଲ’ ପ୍ରଦାନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ ଚମ୍ପାଉଦା ଗ୍ରାମର ନୁଦୁରାମ ସୋରେନ ୧୯୯୭ରେ ବିହାର-୧୬ ରେଜିମେଣ୍ଟ୍‌ରେ ଯୋଗ ଦେଇ ନାଏବ ସୁବେଦାର ଭାବେ କାର୍ଯ୍ୟ କରୁଥିଲେ। ଜୁନ୍‌ ୧୫, ୨୦୨୦ରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ‘ଅପରେସନ୍‌ ସ୍ନୋ ଲିଓପାର୍ଡ’ ସଂଘର୍ଷ ହୋଇଥିଲା। ସେ ଦିନ ପୂର୍ବ ଲଦାଖ ସୀମା ଗଲୱାନ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ -୧୪ରେ ଭାରତୀୟ ଯବାନଙ୍କ ଏକ ଛୋଟିଆ ଦଳର ସେ ନେତୃତ୍ବ ନେଉଥିବା ବେଳେ ସଂଘର୍ଷରେ ସହିଦ ହୋଇଥିଲେ। ଶତ୍ରୁ ବିରୋଧରେ ଅସାଧାରଣ ସାହସିକତା ପାଇଁ ଚଳିତ ବର୍ଷ ଜାନୁଆରି ୨୬ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସହିଦ ନୁଦୁରାମଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଥିଲା।

ସେହିଭଳି ଉତ୍ସବରେ ସ୍ଥଳସେନାର ଉପମୁଖ୍ୟ ଲେପ୍‌ଟେନାଣ୍ଟ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ‌ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ‘ପରମ ବିଶିଷ୍ଟ ସେବା ମେଡାଲ’ ପ୍ରଦାନ କରିଛନ୍ତି । ଶ୍ରୀ ମହାନ୍ତି ପୂର୍ବରୁ ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ ଏବଂ ସେନା ମେଡାଲ ହାସଲ କରିଛନ୍ତି। ଲେପ୍‌ଟେନାଣ୍ଟ ମହାନ୍ତିଙ୍କ ସେନାରେ ପ୍ରାୟ ୪୦ ବର୍ଷର ଅଭିଜ୍ଞତା ରହିଛି। ସେ ତାଙ୍କ କ୍ୟାରିୟର୍‌ରେ ୨ଟି ବିଗ୍ରେଡ୍‌ କମାଣ୍ଡ୍‌ ସମ୍ଭାଳିଛନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ଚୀନର ‘ଅପୋଜିଟ ଏଲଏସି’ ଓ କଙ୍ଗୋରେ ଜାତିସଂଘ ଶାନ୍ତି ସେନା। ଆସାମରେ ଶାନ୍ତି ଫେରାଇ ଆଣିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ରହିଛି। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ଓଡ଼ିଆ ସେନା ଅଧିକାରୀ ତଥା ‘ରେଜିମେଣ୍ଟ୍‌ ଅଫ୍ ଆର୍ଟିଲେରି’ର ମେଜର ଜେନେରାଲ ଅରୂପ କୁମାର ସାସମଲଙ୍କୁ ରାଷ୍ଟ୍ରପତି ‘ଅତି ବିଶିଷ୍ଟ ସେବା ମେଡାଲ’ ପ୍ରଦାନ କରିଛନ୍ତି। ଉତ୍ସବରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସେନାର ବହୁ ବରିଷ୍ଠ ଅଧିକାରୀ ତଥା ସମ୍ମାନିତ ସ‌େନା କର୍ମଚାରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ
ଅତି ବିଶିଷ୍ଟ ସେବା ମେଡାଲ (ଏଭିଏସ୍‌ଏମ୍) ଓ ବାୟୁସେନା ମେଡାଲ (ଭିଏମ୍‌) ପାଇଥିବା ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକ ବର୍ତ୍ତମାନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍‌ରେ ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ-୧ ଏବଂ ଡିଏମ୍ ସ୍କୁଲରୁ ସେ ଶିକ୍ଷାଲାଭ କରିଛନ୍ତି। ଶ୍ରୀ ପଟ୍ଟନାୟକ ୧୯୮୪ରେ ଜାତୀୟ ପ୍ରତିରକ୍ଷା ଏକାଡେମି (ଏନ୍‌ଡିଏ)ରୁ ଉତ୍ତୀର୍ଣ୍ଣ ହେବାପରେ ବାୟୁସେନାରେ ସେହିବର୍ଷ ଜୁନ ୮ରେ ପାଇଲଟ ଭାବେ ଭର୍ତ୍ତି ହୋଇଥିଲେ। ୧୯୯୯ କାର୍ଗିଲ ଯୁଦ୍ଧରେ ଲଢୁଆ ବିମାନ ମିରାଜକୁ ରାତିରେ ଉଡାଇ ଟାଇଗର ହିଲ ଉପରେ ଲେଜର ଗାଇଡେଡ୍ ବୋମା ପକାଇବାର ଅସୀମ ବୀରତ୍ବ ଯୋଗୁଁ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏଥିପାଇଁ ତାଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯାଇଥିଲା। ସେ ଗତମାସ ୩ ତାରିଖରେ ଇ‌ଷ୍ଟର୍ଣ୍ଣ ଏୟାର କମାଣ୍ଡ୍‌ ମୁଖ୍ୟ ଭାବେ ଦ୍ବାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର ପତ୍ନୀ ଅନୁରାଧା ପଟ୍ଟନାୟକ ଏବଂ ଗୋଟିଏ ପୁଅ ଅଛନ୍ତି। ପତ୍ନୀ ଅନୁରାଧା ଏୟାର ଫୋର୍ସ ୱାଭ୍‌ସ ୱେଲ୍‌ଫେୟାର ଆସୋସିଏସନର ସଭାପତି ଅଛନ୍ତି।

ମେଜର ଜେନେରାଲ ସଂଜୟ ଦର୍ଶନ ବେହେରା
ମେଜର ଜେନେରାଲ (ଅବସରପ୍ରାପ୍ତ) ସଂଜୟ ଦର୍ଶନ ବେହେରା ହେଉଛନ୍ତି ପ୍ରଥମ ଓଡ଼ିଆ ଡାକ୍ତର ଯେକି ଲେପ୍ଟନାଣ୍ଟ ଜେନେରାଲ ଭାବେ ପଦୋନ୍ନତି ପାଇଥିଲେ। ସୋମବାର ତାଙ୍କୁ ମର୍ଯ୍ୟାଦାଜନକ ଅତି ବିଶିଷ୍ଟ ସେବା ମେଡାଲ‌ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ରହ୍ମପୁରର ବାସିନ୍ଦା ସଂଜୟ ଭୁବନେଶ୍ବରର ଷ୍ଟିୱାର୍ଟ ସ୍କୁଲରେ ସ୍କୁଲ ଶିକ୍ଷା ପରେ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜରୁ ୧୯୮୨ ମସିହାରେ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଥିଲେ। ୧୯୮୪ ମସିହାରେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ। ତାଙ୍କ ବାପାଙ୍କ ନାମ ସୁଦର୍ଶନ ‌ବେହେରା। ବାପା ଜଣେ ପୁଲିସ ଅଧିକାରୀ। ସଂଜୟ ଦିଲ୍ଲୀସ୍ଥିତ ଏମ୍‌ସରୁ ହସ୍ପିଟାଲ ଆଡମିନିଷ୍ଟ୍ରେସନରେ ପିଜି, ନ୍ୟାସନାଲ ଡିଫେନ୍ସ କଲେଜ, ଦିଲ୍ଲୀରୁ ଏମ୍‌ଫିଲ୍‌ ସହିତ ଆମେରିକାର ଆର୍ମି ମେଡିକାଲ ଡିପାର୍ଟମେଣ୍ଟ ସେଣ୍ଟର, ଟେକ୍ସାସରୁ ୬ ମାସିଆ ତାଲିମ ନେଇଥିଲେ। ଭାରତୀୟ ସେନାରେ ୩୬ ବର୍ଷ ସେବା କରିଛନ୍ତି। ସେ ମିଲିଟାରି ହସ୍ପିଟାଲର କମାଣ୍ଡିଂ ଅଫିସର ରୂପେ ବେଶ୍‌ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର