ନୂଆଦିଲ୍ଳୀ: କିଛି ବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର୍‌ କରିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହନ୍ତି କେନ୍ଦ୍ର ସରକାର ।  

Advertisment

ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍-୧୯ ମାମଲା ହଠାତ୍ ବୃଦ୍ଧି ପାଇଛି । ଏହି ସମସ୍ତ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ  ରଖାଯାଇଛି । ଭାରତରେ କୋଭିଡ-୧୯  ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ଆଜି(ସୋମବାର) ସୁଦ୍ଧା ଦେଶର ଅତି କମ୍‌ରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ହସ୍ପିଟାଲ ଗୁଡ଼ିକରେ ଆଇସିୟୁ ବେଡ୍, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ମୁମ୍ବାଇ, ପୁଣେ ଏବଂ ଥାଣେ ଭଳି ସହରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  

କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ବେଙ୍ଗାଲୁରୁ ରାଜ୍ୟର ହଟ୍‌ସ୍ପଟ୍‌ ଭାବରେ ଉଭା ହୋଇଛି । ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ୨୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ କୋଭିଡ ଆକ୍ରାନ୍ତଙ୍କ ସ୍ଥିତି ସାମାନ୍ୟ ରହିଥିବା ବେଳେ ଏମାନଙ୍କର କୌଣସି ପ୍ରକାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ଥାଣେ ଏବଂ ବେଙ୍ଗାଲୁରୁରେ ମଧ୍ୟ ଦୁଇଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ବେଙ୍ଗାଲୁରୁରେ ମୃତ୍ୟୁ ହୋଇଥିବା ୮୪ ବର୍ଷୀୟ କରୋନା ସଂକ୍ରମିତ ବ୍ୟକ୍ତି ପୂର୍ବରୁ ଅନେକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ।  

ମେ ମାସରେ, କେରଳରେ ସର୍ବାଧିକ ୨୭୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେରଳର ଡାକ୍ତରଖାନାଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଏବଂ ଥଣ୍ଡା ଓ କାଶ ଲକ୍ଷଣ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପଡ଼ୋଶୀ କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି ।