ଜାପାନରେ ଶତାୟୁଙ୍କ ସଂଖ୍ୟା ୭୧୦୦୦ ଟପିଲା

ଟୋକିଓ : ଜାପାନୀ ଲୋକମାନଙ୍କ ହାରାହାରି ଆୟୁଷ ଅଧିକ ବୋଲି ସାରା ବିଶ୍ୱରେ ଜଣାଶୁଣା । ଏବେ ଆସିଥିବା ଏକ ନୂଆ ରିପୋର୍ଟ ଏହାକୁ ପ୍ରମାଣିତ କରିଛି । ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ଜାପାନରେ ଶତାୟୁ ଲୋକଙ୍କ ସଂଖ୍ୟା ବଢିଚାଲିଛି । ଦେଶରେ ଏବେ ପ୍ରାୟ ୭୧ ହଜାର ଲୋକଙ୍କ ବୟସ ୧୦୦ରୁ ଅଧିକ । ଏମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ମାତ୍ର ୮୪୬୩ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୬୨୭୦୦ । ୧୯୬୩ ମସିହାରେ ଜାପାନରେ ମାତ୍ର ୧୫୩ ଜଣ ଶତାୟୁ ଥିଲେ । ଚିକିତ୍ସା ବିଜ୍ଞାନରେ ଉନ୍ନତି ଓ ସ୍ୱାସ୍ଥ୍ୟସେବା ଉପରେ ସରକାରଙ୍କ ସଚେତନତା ଓ ଗୁରୁତ୍ୱ ଫଳରେ ଲୋକମାନେ ଅଧିକ ଦିନ ବଞ୍ଚୁଛନ୍ତି ଓ ଶତାୟୁଙ୍କ ସଂଖ୍ୟା ବଢିଚାଲିଛି ।

କିନ୍ତୁ ଜାପାନ ପାଇଁ ଆଉ ଏକ ଚିନ୍ତାର ବିଷୟ ଯେ ବିଶ୍ୱରେ ଜାପାନୀ ମାନଙ୍କ ସଂଖ୍ୟା କମୁଛି । ଜାପାନରେ ଜନ୍ମ ସଂଖ୍ୟା ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ବିଂଶ ଶତାବ୍ଦୀରେ ଜାପାନର ଲୋକସଂଖ୍ୟା ବଢିଚାଲିଥିଲା, କିନ୍ତୁ ଆଜି କାଲି ଯୁବକମାନଙ୍କ ମଧ୍ୟରେ ବିବାହ ଓ ବଂଶବିସ୍ତାର ଆଗ୍ରହ କମିଛି । ୧୯୭୦ରେ ଏକ ଜାପାନି ଦମ୍ପତ୍ତିଙ୍କ ହାରାହାରି ୨.୧ଟି ସନ୍ତାନ ଥିବାବେଳେ ଏବେ ତାହା ୧.୪କୁ ହ୍ରାସ ପାଇଛି । ଏହି ଧାରା ବଜାୟ ରହିଲେ ୨୦୫୦ ସୁଦ୍ଧା ଜାପାନରେ ମାତ୍ର ୧୦ କୋଟି ଜାପାନୀ ଲୋକ ରହୁଥିବେ । ଏବେ ଜାପାନର ଜନସଂଖ୍ୟା ୧୪ କୋଟି ରହିଛି ।

ସମ୍ବନ୍ଧିତ ଖବର