ସିଷ୍ଟରଙ୍କ ଆତ୍ମଜୀବନୀରେ ବିଶପ-ନନ୍‌ଙ୍କ ‌ଯୌନାଚାର, ପୁସ୍ତକର ପ୍ରକାଶ ରୋକିବାକୁ କୋର୍ଟରେ ଆବେଦନ କଲେ ନନ୍‌

ତିରୁବନନ୍ତପୁରମ୍‌: ସିଷ୍ଟର୍‌ ଲୁସି କଲପୁରାଙ୍କ ଆତ୍ମଜୀବନୀ ‘କର୍ତାଭିନ୍ତେ ନମାଥିଲ୍‌’ ପୁସ୍ତକର ପୁନଶ୍ଚ ପ୍ରକାଶ ରୋକିବାକୁୁ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି ମେରି ଇମିକୁଲେଟ୍‌ ମଣ୍ଡଳୀର ସିଷ୍ଟର୍‌ ଲିସିଆ ଜୋଶେଫ୍‌। ସେ ବୁଧବାର ସିଷ୍ଟର ଲୁସି କଲପୁରାଙ୍କ ଦ୍ବାରା ଲିଖିତ ଏହି ବହୁଚର୍ଚ୍ଚିତ ପୁସ୍ତକର ପ୍ରକାଶ ଓ ବିତରଣ ରୋକିବାକୁ କୋର୍ଟରେ ଆବେଦନ କରିଛନ୍ତି।

ସିଷ୍ଟର୍‌ ଲିସିଆ ଜୋଶେଫ୍‌ଙ୍କ କହିବାନୁଯାୟୀ, ସେ ପୂରା ପୁସ୍ତକଟିକୁ ପଢ଼ିଛନ୍ତି। ତାଙ୍କୁ ଅନୁଭବ ହୋଇଛି ଯେ ପାଦ୍ରୀ, ନନ୍‌ ଓ ଅନ୍ୟ ଧାର୍ମଯାଜକଙ୍କୁ ଅପମାନିତ ବା ବଦନାମ କରାଯାଇ ଅନେକ କିଛି ଲେଖାଯାଇଛି। ପୁସ୍ତକରେ କୁହାଯାଇଛି ଯେ ଫାଦର ଓ ନନ୍‌ମାନେ ଅନୈତିକ ଜୀବନ ଯାପନ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ‌ଯୌନାଚାରରେ ଲିପ୍ତ ରହୁଛନ୍ତି। ଏହି ପୁସ୍ତକ ଖୀଷ୍ଟିୟାନମାନଙ୍କ ମଧ୍ୟରେ କ୍ରୋଧ  ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ସାଂକେତିକ ଫଟୋ

ଉଲ୍ଲେଖଯୋଗ୍ୟ, ଦୁଷ୍କର୍ମ ଅଭିଯୁକ୍ତ ବିଶପ ଫ୍ରାଙ୍କୋ ମୁଲାକାଲ୍‌ଙ୍କ ବିରୋଧରେ ସ୍ବର ଉଠାଇ ସିଷ୍ଟର୍‌ ଲୁସି ‘ଭଗବାନଙ୍କ ନାମରେ’ ଶୀର୍ଷକରେ ନିଜ ଆତ୍ମକାହାଣୀ ଲେଖିଛନ୍ତି। ନନ୍‌ମାନେ କିପରି ବିଶପମାନଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହେଉଛନ୍ତି ତାହାକୁ ସେ ତାଙ୍କ ଲିଖିତ ପୁସ୍ତକରେ ସ୍ଥାନ ଦେଇଛନ୍ତି। ପୁସ୍ତକଟିକୁ ଛାପିଛି ଡିସି ବୁକ୍‌। ଏହା ଡିସେମ୍ବର ୧୦ରେ ପ୍ରକାଶ ପାଇବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର