ନୂପୁରଙ୍କ ବିରୋଧରେ ରୁଜୁ ହୋଇଥିବା ୯ଟି ଏତଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଆଜି ହୋଇଥିବା ଶୁଣାଣି‌ରେ ନୂପୁରଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର୍ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ନୂପୁର ଦୀର୍ଘ ଦିନ ଧରି ଅନୁରୋଧ କରିଆସୁଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ। ଆଜି କୋର୍ଟ ନୂପୁରଙ୍କ ଅନୁରୋଧ ରଖିବା ସହ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ କହିଛନ୍ତି।

ଏହି ରାୟ ଶୁଣାଇବା ପରେ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏତଲାଗୁଡିକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଏହା ସହ ନୂପୁରଙ୍କ ବିରୋଧରେ ପଞ୍ଜୀକୃତ ସମସ୍ତ ଏତଲା ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ଏବେ ଦିଲ୍ଲୀ ପୁଲିସ ରୁଜୁ ହୋଇଥିବା ସମସ୍ତ ଏତଲାର ତଦନ୍ତ କରିବ।

ଉଲ୍ଲେଖଯୋଗ୍ୟ, ନୂପୁରଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ୯ଟି ଏତଲା ରୁଜୁ ହୋଇଥିଲା। ଦିଲ୍ଲୀରେ ଗୋଟିଏ ଏତଲା, ମହାରାଷ୍ଟ୍ରରେ ୫ଟି, ପଶ୍ଚିମବଙ୍ଗରେ ୨ଟି ଏବଂ ତେଲେଙ୍ଗାନାରେ ଗୋଟିଏ ଏତଲା ରୁଜୁ ହୋଇଥିଲା। ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୂପୂର କୋର୍ଟରେ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି କରି ନୂପୁରଙ୍କ ଜୀବନ ପ୍ରତି ବିପଦ ଥିବା ହୃଦବୋଧ କରିବା ପରେ ସୁପ୍ରିମକୋର୍ଟ ସମସ୍ତ ଏତଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର