ବିବାଦୀୟ ବୟାନ ଦେଇଥିବାରୁ ବିଜେପିରୁ ନିଲମ୍ବିତ ହେଲେ ଜାତୀୟ ମୁଖପାତ୍ର ନୁପୁର ଶର୍ମା

ନୂଆଦିଲ୍ଲୀ: ଇସଲାମ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତ୍ରୀ ତଥା ଜାତୀୟ ମୁଖପାତ୍ର ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ନୁପୁର ଶର୍ମା ଏକ ଟିଭି ବିତର୍କ ସମୟରେ ମହାପୁରୁଷ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ନୁପୁରଙ୍କ ସହ ଦିଲ୍ଲୀ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କ ବିରୋଧରେ ମଧ୍ୟ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ନୁପୁରଙ୍କୁ ନିଲମ୍ବନ କରିବା ପୂର୍ବରୁ ବିଜେପି ବୟାନ ବିବାଦରୁ ନିଜକୁ ଦୂରେଇ ଦେଇଥିଲା । ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ମୁଖ୍ୟାଳୟର ଦାୟିତ୍ୱରେ ଥିବା ଅରୁଣ ସିଂ କହିଛନ୍ତି ଯେ କୌଣସି ଧର୍ମର ଉପାସକଙ୍କ ଅପମାନ ବିଜେପି ସ୍ୱୀକାର କରେ ନାହିଁ। କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ଭାବନାକୁ ଆଘାତ କରୁଥିବା ବୟାନକୁ ବିଜେପି ସମର୍ଥନ କରେ ନାହିଁ | ଭାରତୀୟ ଜନତା ପାର୍ଟି ସମସ୍ତ ଧର୍ମକୁ ସମ୍ମାନ କରେ। କୌଣସି ଧର୍ମର କୌଣସି ଧାର୍ମିକ ବ୍ୟକ୍ତିଙ୍କ ଅପମାନକୁ ବିଜେପି ଦୃଢ ନିନ୍ଦା କରୁଛି।

ସୂଚନା ମୁତାବକ, ନିକଟ ଅତୀତରେ ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଏକ ଟେଲିଭିଜନ୍‌ ଚାନେଲ୍‌ରେ ସମ୍ବାଦ ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ର ନୁପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ସହରର ସବୁଠାରୁ ବଡ ହୋଲସେଲ ବଜାର ପ୍ୟାରେଡ ମାର୍କେଟରେ ଦୋକାନ ବନ୍ଦ କରିବାକୁ ଏକ ମୁସଲମାନ ସଂଗଠନ ଆହ୍ଵାନ ଦେବା ପରେ କାନପୁରରେ ଶହ ଶହ ଲୋକ ରାଜରାସ୍ତା ଉପରକୁ ଓହ୍ଲାଇ ଆସି ସଂଘର୍ଷ କରିଥିଲେ। ଦୁଇ ଗୋଷ୍ଠୀ ସହରର ପ୍ୟାରେଡ୍‌ ଛକରେ ପରସ୍ପର ଉପରକୁ ଏବଂ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ଆଉ ହିଂସା ଘଟଣାରେ ପୁଲିସ ଏଯାବତ ୩୬ ଜଣଙ୍କୁ ଗିରଫ କରିଥିବାବେଳେ ପୁଲିସ ଉକ୍ତ ଘଟଣାରେ ୧୫୦୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି।

ସମ୍ବନ୍ଧିତ ଖବର