ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଝାନସୀରେ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ହସ୍ପିଟାଲରେ ନଭେମ୍ବର ୧୫ ତାରିଖରେ ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଥିଲେ। ୩୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ବାହାରକୁ ଅଣାଯାଇଥିଲା।
ହସ୍ପିଟାଲରେ ଅଗ୍ନିକାଣ୍ଡ ହେବା ଦେଖି ଡିୟୁଟିରେ ଥିବା ନର୍ସ ମେଘା ଜେମ୍ସ ନିଜ ଜୀବନକୁ ବାଜି ଲଗାଇ ଶିଶୁଙ୍କୁ ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଥିଲେ। ସେ ନିଜ ଉଦ୍ୟମ ବଦଳରେ ୧୫ଜଣ ଶିଶୁଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ସଫଳ ହୋଇଥିଲେ।
ସୂଚନା ମୁତାବକ, ହସ୍ପିଟାଲରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିବା ସମୟରେ ମେଘା ଡିୟୁଟିରେ ଥିଲେ। ସେ ସମୟର ଘଟଣାକୁ ବଖାଣି ମେଘା କହିଛନ୍ତି, ‘ମୁଁ ଅଗ୍ନିକାଣ୍ଡ ଘଟିବା ସମୟରେ ଜଣେ ଶିଶୁକୁ ଇନଜେକସନ ଦେବା ପାଇଁ ସିରିଞ୍ଜ ଆଣିବାକୁ ଯାଇଥିଲି। ଯେତେବେଳେ ସିରିଞ୍ଜ ନେଇ ଫେରିଥିଲି ଅକ୍ସିଜେନ କନସଟ୍ରେଟରରେ ନିଆଁ ଲାଗି ଯାଇଥିଲା।
ସଙ୍ଗେସଙ୍ଗେ ମୁଁ ୱାର୍ଡ ବଏଙ୍କୁ ଡାକିଥିଲି। ସେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସେତେବେଳକୁ ନିଆଁ ଅନ୍ୟ ୱାର୍ଡକୁ ବି ମାଡ଼ି ଯାଇଥିଲା। ଏହି ସମୟରେ ମୋର ଚପଲ ଜଳି ଯାଇଥିଲା, ପାଦ ଫଟକା ହୋଇଯାଇଥିଲା। ପିନ୍ଧିଥିବା ସଲୱାରରେ ବି ନିଆଁ ଲାଗି ଯାଇଥିଲା। ମୁଁ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ନିଆଁ ଲାଗିଥିବା ସଲୱାରକୁ ଖୋଲି ସଙ୍ଗେସଙ୍ଗେ ଅନ୍ୟ ଏକ ସଲୱାର ପିନ୍ଧି ଶିଶୁଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲି।
ଗୋଟିଗୋଟି କରି ଶିଶକୁ ବାହାରଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ରଖୁଥିଲୁ। ଯଦି ଉଦ୍ଧାର ସମୟରେ ବିଦ୍ୟୁତ ଯାଇ ନଥାଆନ୍ତା ତେବେ ଆହୁରି ଅଧିକ ଶିଶୁଙ୍କୁ ବଞ୍ଚା ଯାଇ ପାରିଥାଆନ୍ତା।’
ନର୍ସ ମେଘା ଜେମ୍ସଙ୍କ ଏଭଳି ସାହାସକୁ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।