ଶ୍ରୀନଗର: ଜାମ୍ମୁ ବସଷ୍ଟାଣ୍ଡରୁ ଆଜି ଉଦ୍ଧାର ହୋଇଥିବା ପାଖାପାଖି ୭ କିଲୋ ବିସ୍ଫୋରକ ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକକୁ ପୁଲିସ ଅଟକ ରଖିଛି | ଏହି ଯୁବକଙ୍କୁ ପୁଲିସ ଏବେ ପଚରାଉଚୁରା କରୁଥିବାବେଳେ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି | ବିସ୍ଫୋରକ ଜବତ ଘଟଣାକୁ ନେଇ ଜାମ୍ମୁ ଜୋନର ଆଇଜିପି ମୁକେଶ ସିଂହ କହିଛନ୍ତି ଯେ ଅନନ୍ତନାଗ ଓ ଜାମ୍ମୁ ପୁଲିସକୁ ବଡ ସଫଳତା ମିଳିଛି | ଗତ ୨ରୁ ୩ ଦିନ ଧରି ଜାମ୍ମୁ ପୁଲିସ ହାଇଆଲର୍ଟରେ ଥିବାବେଳେ ଗୁଇନ୍ଦା ସୂଚନା ମିଳିଥିଲା ଯେ ଆତଙ୍କବାଦୀମାନେ କିଛି ବଡ ଧରଣର ଅଘଟଣ ଘଟାଇପାରନ୍ତି | ଆଉ ଯାଞ୍ଚ ସମୟରେ ଜଣେ ନର୍ସିଙ୍ଗ ଛାତ୍ରଙ୍କୁ ଗିରଫ କରାଯାଇଛି |
ଚଣ୍ଡୀଗଡ଼ରେ ଏହି ଯୁବକ ଜଣକ ନର୍ସିଙ୍ଗ ପଢୁଥିବାବେଳେ ତାଙ୍କ ନାମ ସୋହେଲ ବୋଲି ପୁଲିସ ପକ୍ଷରୁ କୁହାଯାଇଛି | ଆଇଜିପି କହିଛନ୍ତି ଯେ ପଞ୍ଜାବରେ ପଢ଼ୁଥିବା କିଛି କାଶ୍ମିରୀ ଛାତ୍ରଙ୍କୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି | ସୋହେଲଙ୍କ ପ୍ରକୃତ ଘର ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲା ହୋଇଥିବାବେଳେ ପାକିସ୍ତାନରୁ ଆଇଡି ବିସ୍ଫୋରକ ବିସ୍ଫୋରଣ କରିବାକୁ ନିର୍ଦ୍ଦେଶ ମିଳିଥିଲା |
ପୁଲିସ କହିଛି ଯେ ଆତଙ୍କବାଦୀମାନେ ଜାମ୍ମୁ ସହରର ୩ରୁ ୪ଟି ଭିଡ ସ୍ଥାନରେ ଏହାକୁ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ | ସୋହେଲ ଛଡା ଚଣ୍ଡୀଗଡ଼ରୁ କାଜି ବାସିମ ନାମକ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି | ସୂଚନା ଥାଉ କି ଜମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷା ବାହିନୀ ଆଜି ୭କିଲୋଗ୍ରାମ ବିସ୍ଫୋରକ ଜବତ କରିଥିଲେ |