ମା’ ହେଲେ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ, ଶିଶୁପୁତ୍ରକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ମା’ ହେଲେ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ। ନିଜ ବିବାହକୁ ନେଇ ବିବାଦରେ ଥିବା ଅଭିନେତ୍ରୀ ଆଜି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଗତକାଲି ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଆଜି ସେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଗତକାଲି ରାତିରେ ନୁସରତ୍ ଜହାଁଙ୍କୁ କୋଲକାତାର ନିଓଟିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ବଙ୍ଗୀୟ ଅଭିନେତା ଯଶ ଦାସଗୁପ୍ତ ନୁସରତଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଯଶ ଏବେ ମଧ୍ୟ ନୁସରତଙ୍କ ସହ ଥିବା ଜଣାପଡ଼ିଛି।

ନୁସରତ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେବା ପରେ ଚାରିଆଡୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ଭଲ ବନ୍ଧୁ ବୋଲି କୁହାଯାଉଥିବା ମିମି ଚକ୍ରବର୍ତ୍ତୀ ତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ, ଜୁନ ୧୯,୨୦୧୯ରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ୍। ହେ‌ଲେ ବର୍ଷକ ପରେ ନିଖିଲଙ୍କ ସହ ତାଙ୍କ ବିବାହ ଭାରତୀୟ ନିୟମ ଅନୁଯାୟୀ ବୈଧ ନୁହେଁ ବୋଲି ନୁସରତ୍ କହିଥିଲେ। ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିବା‌ ସହ ନଭେମ୍ବର ୨୦୨୦ରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ।

ସମ୍ବନ୍ଧିତ ଖବର