କୋଲକାତା: ଗତ କିଛି ଦିନ ହେଲା ନିଜ ନେତାମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ ଅଭିଯୋଗ କରାଯାଇଛି। ଟିଏମସି ନେତା ଶ୍ରୀକାନ୍ତ ମହତ ଅଭିଯୋଗ କରିଛନ୍ତି ଯେ ମିମି ଚକ୍ରବର୍ତ୍ତୀ, ନୁସରତ ଜାହାନ, ଜୁନ୍ ମାଲିଆ, ସାୟୋନି ଘୋଷ, ସାୟନ୍ତିକା ବାନାର୍ଜୀ ଭଳି ନେତାମାନେ ଟଙ୍କା ଲୁଟୁଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓରେ ଶ୍ରୀକାନ୍ତ ଟିଏମସିର ଅନେକ ବରିଷ୍ଠ ନେତାଙ୍କ ଉପରେ ବର୍ଷୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ସେ କହିଛନ୍ତି ଯେ,ପୂର୍ବରୁ ଆମେ ଅଭିଷେକ ବାନାର୍ଜୀ, ସୁବ୍ରତ ବକ୍ସିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସେମାନେ ବୁଝିବାକୁ ଇଚ୍ଛା କଲେ ନାହିଁ। ସେମାନେ ଖରାପ ଲୋକଙ୍କୁ ଭଲ ସହଯୋଗୀ ଭାବରେ ନିଜ ସହ ରଖୁଛନ୍ତି। ଏଭଳି ହେଲେ ଆମେ କିପରି ବଞ୍ଚିବୁ? ସେମାନେ ଖରାପ ଲୋକଙ୍କୁ ଖରାପ କହିବା ଉଚିତ୍। ମହାଦେବଠାରୁ ଆରମ୍ଭ କରି ସନ୍ଧ୍ୟା ରୟ, ଜୁନ୍ ମାଲିଆ, ସାୟାନି, ସାୟନ୍ତିକା, ମିମି, ନୁସରତ। ଯଦି ସେମାନେ ଦଳ ପାଇଁ ସମ୍ପତ୍ତି ହୁଅନ୍ତି, ତେବେ ଆମେ ଆଉ ଏହି ଦଳର ଅଂଶ ହୋଇ ରହିପାରିବୁ ନାହିଁ।
ସେ ଆହୁରି କହିଛନ୍ତି ଯେ, ଯଦି ଏହି ନେତାମାନେ ଟଙ୍କା ଲୁଟ୍ କରି ଦଳ ପାଇଁ ସମ୍ପତ୍ତି ହୁଅନ୍ତି, ତେବେ ଆମେ ମନ୍ତ୍ରୀ ହୋଇ ରହିବାକୁ ଚାହୁଁନାହୁଁ। ଲୋକମାନେ କହୁଛନ୍ତି ଏହି କ୍ୟାବିନେଟର ସମସ୍ତ ମନ୍ତ୍ରୀ ଚୋର। ଯଦି ପାର୍ଟି କେବଳ ସେହି ଚୋରମାନଙ୍କ କଥା ଶୁଣିବ, ତେବେ ଆମକୁ ନୂଆ ଉପାୟ ଖୋଜିବାକୁ ପଡିବ। ଆମକୁ ଏହା ବିରୋଧରେ ଏକ ଆନ୍ଦୋଳନ କରିବାକୁ ପଡିବ।