ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ! ଏବେ ଯେ କୌଣସି ସ୍ଥାନରୁ ପୀଡିତାଙ୍କ ସମେତ ସଂପର୍କୀୟ ମଧ୍ୟ କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ : ଯୌତୁକ ଉତ୍ପୀଡନ ଆଇନକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ପୀଡିତା ମହିଳାଙ୍କ କୌଣସି ସଂପର୍କୀୟ ତାଙ୍କ ଶାଶୂଘର ଲୋକ ଏବଂ ସ୍ୱାମୀଙ୍କ ବିରୋଧରେ ଯୌତୁକ ଉତ୍ପୀଡନର ମାମଲା ରୁଜୁ କରି ପାରିବେ। ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ କୁହାଯାଇଛି, ଆଇପିସି ଧାରା ୪୯୮ ଏରେ କେଉଁଠାରେ ବି କୁହାଯାଇନାହିଁ ଯେ ଅଭିଯୋଗ କେବଳ ପୀଡିତା ହିଁ କରିିବେ । ପୀଡିତାଙ୍କ ବ୍ୟତୀତ ତାଙ୍କ ସଂପର୍କୀୟ ମଧ୍ୟ ଅଭିଯୋଗ କରିପାରିବେ । ଯେତେବେଳେ କୌଣସି ମହିଳାଙ୍କ ଶାଶୁଘରଲୋକ କିମ୍ବା ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ହଇରାଣ କରନ୍ତି ସେତେବେଳେ ଅଭିଯୋଗ ଧାରା ୪୯୮-ଏ ଅନୁସାରେ କରାଯାଏ। ସୁପ୍ରିମକୋର୍ଟଙ୍କ ମୁତାବକ ଏଭଳି ମାମଲାରେ ବହୁ କ୍ଷେତ୍ରରେ ପୀଡିତା ମହିଳାଙ୍କୁ ଅଭିଯୋଗ କରିବା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

asianage.com

ଏବେ ଯୌତୁକ କିମ୍ବା ଅନ୍ୟ କୌଣସି  ନିର୍ଯାତନା ବିରୁଦ୍ଧରେ ଜଣେ ମହିଳା ଦେଶର କୌଣସି ବି ସ୍ଥାନରେ ଅଭିଯୋଗ କରିପାରିବେ । ସିଆରପିସିର ଧାରା ୧୭୭ ମୁତାବକ କୌଣସି ଅପରାଧିକ ମାମଲା ଉକ୍ତ ସ୍ଥାନରେ ହିଁ ଅଭିଯୋଗ କରାଯାଇପାରିବ ଯେଉଁଠାରେ ସେହି ଘଟଣା ଘଟିଥିବ । ଅର୍ଥାତ କୌଣସି ମହିଳା ଯଦି ତାଙ୍କ ଶାଶୁଘରେ ଅତ୍ୟାଚାରର ଶିକାର ହୋଇଥାନ୍ତି ତେବେ ସେ ଶାଶୁଘର ଅଞ୍ଚଳ କିମ୍ବା ଏହାର ନିକଟସ୍ଥ ଥାନାରେ ହିଁ ଅଭିଯୋଗ କରିପାରିବେ । କିନ୍ତୁ ଏଥିରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ । ପୀଡିତାଙ୍କୁ ଯଦି ନିଜ ଶାଶୁଘରୁ ବାହାର କରାଯାଇଥାଏ କିମ୍ବା ଏଭଳି ପରିସ୍ଥିତି କରାଯାଏ ଯାହାଦ୍ୱାରା ପୀଡିତାଙ୍କୁ ଘର ଛାଡି ଯିବାକୁ ପଡ଼ିଥାଏ ତେବେ ଥାନାରେ ଅଭିଯୋଗ କରିବା ପୀଡିତାଙ୍କ ପାଇଁ କଷ୍ଟକର ହୋଇପଡ଼େ । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏଭଳି ନିୟମ ପ୍ରଶଂସାଯୋଗ୍ୟ ।

ସମ୍ବନ୍ଧିତ ଖବର