କୋଲକାତା: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ପାଖରେ ଆମ୍ବୁଲାନ୍ସ ଭଡ଼ା ଦେବାକୁ ଅର୍ଥ ନଥିବାରୁ ସେ ତାଙ୍କ ପୁଅର ମୃତଦେହକୁ ବ୍ୟାଗରେ ଭରି ବସରେ ଯାତ୍ରା କରିଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

Advertisment

ମୃତ ଶିଶୁର ବାପା ଆଶିମ ଦେବଶର୍ମା କହିଛନ୍ତି, ‘ଛଅଦିନ ପର୍ଯ୍ୟନ୍ତ ସିଲିଗୁଡ଼ି ନର୍ଥ ବଙ୍ଗାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମୋ ପୁଅର ଗତ ରାତିରେ ମୃତ୍ୟୁ ହୋଇଯାଇଥିଲା। ପୁଅର ଚିକିତ୍ସା ପାଇଁ ୧୬,୦୦୦ଟଙ୍କା ଖର୍ଚ୍ଚ ହୋଇଥିଲା।

ପୁଅର ମୃତ୍ୟୁ ହେବାପରେ ମୃତଦେହକୁ  କାଳିଆଗଞ୍ଜ ପର୍ଯ୍ୟନ୍ତ ନେଇ ଯିବାକୁ ଆମ୍ବୁଲାନ୍ସ ବୁଝିଥିଲି। କିନ୍ତୁ ଆମ୍ବୁଲାନ୍ସ ଚାଳକ ୮୦୦୦ଟଙ୍କା ମାଗିବା ସହିତ କହିଥିଲେ, ‘‘ଆମ୍ବୁଲାନ୍ସ ଅଛି ରୋଗୀଙ୍କୁ ନେଇ ଯିବାକୁ ମୃତ‌ଦେହକୁ ନୁହେଁ।’’ ତେବ‌େ ଆମ୍ବୁଲାନ୍ସ  ଭଡ଼ା ବାବଦକୁ ୮୦୦୦ଟଙ୍କା ଦେବାକୁ  ମୋ ପାଖରେ ନଥିଲା। ଘ‌ରୋଇ ଗାଡ଼ି ବି ଭଡ଼ା ଅଧିକ କହିଥିଲେ। ମୋ ପାଖରେ ସିନା ଅର୍ଥ ଥିଲେ ମୁଁ ଗାଡ଼ି ଭଡ଼ା କରି ଥାଆନ୍ତି। ଖାଇବାକୁ ବି ଟଙ୍କା ନଥିଲା। ସବୁ ଟଙ୍କା ପୁଅର ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଥିଲା।

ଶେଷରେ ବାଧ୍ୟ ହୋଇ ଛାତିକୁ ପଥର କରି ପୁଅର ମୃତଦେହକୁ ଏକ ବ୍ୟାଗରେ ଭରି ବସରେ ବସି ୨୦୦କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲି। ଏହି ଯାତ୍ରା ସମୟରେ ବ୍ୟାଗ ଭିତରେ ମୋର ପୁଅର ମୃତଦେହ ଅଛି ଏକଥା କାହାକୁ ଜଣାଇ ନଥିଲି। ନଚେତ ମୋତେ ବସ‌ରେ ବସାଇ ଦେଇ ନଥାଆନ୍ତେ। ବସରୁ ଓହ୍ଲାଇ ଘର ଯାଏଁ ଯିବାକୁ ଆଉ ଏକ ଆମ୍ବୁଲାନ୍ସରେ ବସିଥିଲି। ଉକ୍ତ ଆମ୍ବୁଲାନ୍ସ ଚାଳକ ମୋତେ ନେଇ ଘର ପର୍ଯ୍ୟନ୍ତ ଛାଡ଼ି ଦେଇ ଆସିଥି‌ଲେ।’