ଟ୍ରମ୍ପ୍‌ଙ୍କ ବିରୋଧରେ ଓବାମାଙ୍କ ପ୍ରଚାର : ଆମେରିକାରେ ବହୁତ ବଡ଼ ଜାଗରଣ ଜାରି ରହିଛି

ଓ୍ୱାସିଂଟନ : ଆଗାମୀ ନଭେମ୍ବରରେ ଆମେରିକାର ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ପାଇଁ ଆଶାୟୀ ପ୍ରାର୍ଥୀ ଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଏକ ପ୍ରଚାର ଅଭିଯାନରେ ପ୍ରାକ୍ତନ ରାଷ୍ଟ୍ରପତି ବାରାକ୍‌ ଓବାମା ସାମ୍ପ୍ରତିକ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ସାଜୁଥିବା ଅନ୍ୟତମ ଆଶାୟୀ ଡେମୋକ୍ରାଟ ଦଳର ଜୋ ବିଡେନ୍‌ଙ୍କ ପାଇଁ ନିର୍ବାଚନ ପାଣ୍ଠି ସଂଗ୍ରହ ଅବସରରେ ଓବାମା ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଦେଶରେ ଏକ ବିରାଟ ଜାଗରଣ ଜାରି ରହିଛି ଏବଂ ତାହା ଟ୍ରମ୍ପ୍‌ଙ୍କୁ ନିଶ୍ଚୟ ପରାସ୍ତ କରିବ ବୋଲି କହିଥିଲେ। ଆମେରିକାର ଦୁଇ ଥର ରାଷ୍ଟ୍ରପତି ପଦ ସମ୍ଭାଳିଥିବା ଓବାମା ଏହି ପ୍ରଚାର କାର୍ଯ୍ୟକ୍ରମରେ ଲୋକଙ୍କୁ ଭାବପ୍ରବଣତାରେ ବାନ୍ଧି ରଖିଥିଲେ। ମଙ୍ଗଳବାର ଫୋନିକ୍ସ ଠାରେ ଆୟୋଜିତ ଏହି ପ୍ରଚାର ତଥା ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ଓବାମା ନିଜର ସହଯୋଗୀ ତଥା ପ୍ରାକ୍ତନ ଉପରାଷ୍ଟ୍ରପତି ବିଡେନ୍‌ଙ୍କ ସପକ୍ଷରେ ନିଜର ଅଭିବ୍ୟକ୍ତି ପ୍ରକାଶ କରି ଟ୍ରମ୍ପ୍‌ଙ୍କୁ କଠୋର ଭାବରେ ସମାଲୋଚନା କରିଥିଲେ। ଦେଶରେ ଦେଖାଦେଇଥିବା ବିରାଟ କ୍ଷତକୁ କେବଳ ବୋଡେନ୍‌ଙ୍କ ବ୍ୟତୀତ ଆଉ କେହି ଉପଶମ କରିପାରିବେ ନାହିଁ ବୋଲି ଓବାମା କହିଥିଲେ। ସାରା ଦେଶରେ ବିଶେଷ କରି ଯୁବଗୋଷ୍ଠୀଙ୍କ ଭିତରେ ସମ୍ପ୍ରତି ଏକ ବିରାଟ ଜାଗରଣ ଜାରି ରହିଛି ଏବଂ ପରିବର୍ତ୍ତନକୁ ଆହ୍ବାନ କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର