ମେଦବହୁଳଙ୍କଠାରେ କୋଭିଡ୍‌ ମୃତ୍ୟୁ ଆଶଙ୍କା ୧୦ ଗୁଣ ଅଧିକ: ରିପୋର୍ଟ

ନୂଆଦିଲ୍ଲୀ: ମେଦବହୁଳ ବୟସ୍କ ଲୋକଙ୍କ କ୍ଷେତ୍ରରେ କୋଭିଡ୍‌ ମୃତ୍ୟୁ ଆଶଙ୍କା ୧୦ ଗୁଣା ଅଧିକ ବୋଲି ଵାର୍ଲ୍ଡ ଓବେସିଟି ଫେଡେରେସନ୍‌(ଡବ୍‌ଲ୍ୟୁଓଏଫ୍‌) ପକ୍ଷରୁ ଅନୁଷ୍ଠିତ ଏକ ଅନୁଧ୍ୟାନରୁ ଜଣାଯାଇଛି। ସେହିପରି ୨୦୨୦ ମସିହା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମେଦବହୁଳ ବିଶିଷ୍ଟ ଦେଶଗୁଡ଼ିକରେ ଅଭିନବ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କ ପରିମାଣ ଦଶଗୁଣ ଅଧିକ ରହିଥିଲା। ଏଥି ସହିତ ଏହି ମୋଟାପଣ ବିଭିନ୍ନ ସ୍ବାସ୍ଥ୍ୟ ସଂକଟ ଆଣିବା ସହ ବିଭିନ୍ନ ଭୂତାଣୁ ସଂକ୍ରମଣ ପାଇଁ କ୍ଷତିକାରକ ବୋଲି ଡବ୍‌ଲ୍ୟୁଓଏଫ୍‌ ପକ୍ଷରୁ କୁହାଯାଇଛି।

ଜନ୍‌ସ ହପକିନ୍‌ସ ବିଶ୍ବବିଦ୍ୟାଳୟ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମିଳିଥିବା ୧୬୦ଟି ଦେଶର ମୃତ୍ୟୁତଥ୍ୟକୁ ତର୍ଜମା କରି ଗବେଷକମାନେ ଏପରି ନିର୍ଯ୍ୟାସରେ ପହଞ୍ଚିପାରିଛନ୍ତି। ସୂଚନାନୁଯାୟୀ, ଗତ ଫେବ୍ରୁଆରି ଶେଷ ସୁଦ୍ଧା ବିଶ୍ବରେ ପାଖାପାଖି ୨୫ ଲକ୍ଷ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ତେବେ ସେଥିରୁ ୨୨ ଲକ୍ଷ ମୃତ୍ୟୁ କେବଳ ଅର୍ଦ୍ଧାଧିକ ନାଗରିକ ମେଦବହୁଳ ଥିବା ଦେଶରେ ସଂଘଟିତ ହୋଇଛି। ସେମାନଙ୍କ ମଧ୍ୟରେ ଆମେରିକାରେ ସର୍ବାଧିକ ମୃତ୍ୟୁହାର ଲକ୍ଷେ ପିଛା ୧୫୨.୪୯ ରହିଛି। ଅପରପକ୍ଷେ, ଯେଉଁ ଦେଶରେ ୪୦ ପ୍ରତିଶତରୁ କମ୍‌ ନାଗରିକ ମେଦବହୁଳ ସେଠାରେ ମୃତ୍ୟୁହାର ଯଥେଷ୍ଟ କମ୍‌ ରହିଛି। ସେମାନଙ୍କ ମଧ୍ୟରେ ଭିଏତନାମ, ଜାପାନ, ଥାଇଲାଣ୍ଡ ଓ ଦକ୍ଷିଣକୋରିଆ ପରି ଦେଶ ରହିଛନ୍ତି। ଭିଏତନାମରେ ସର୍ବନିମ୍ନ ମୃତ୍ୟୁହାର ଲକ୍ଷେ ପିଛା ୦.୦୪ ରହିଛି। ଯଦିଓ ବୟସ୍କ ହେବା ଅପରିହାର୍ଯ୍ୟ, ତେବେ ବିଭିନ୍ନ ରାଷ୍ଟ୍ରର ସରକାର ଆବଶ୍ୟକ ପଦକ୍ଷେପ ନେଲେ ମେଦବହୁଳ ହେବାର କାରଣଗୁଡ଼ିକୁ ନିୟନ୍ତ୍ରଣ କରିହେବ ଏବଂ ମହାମାରୀ କୋଭିଡ୍‌ର ପ୍ରଭାବକୁ ହ୍ରାସ କରିହେବ ବୋଲି ଡବ୍‌ଲ୍ୟୁଓଏଫ୍‌ର ସିଇଓ ଜୋହାନ୍ନା ରାଲଷ୍ଟନ କହିଛନ୍ତି।

ସମ୍ବନ୍ଧିତ ଖବର