ନୂଆଦିଲ୍ଲୀ : କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ୍‌ କରି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କୁ ସମାଲୋଚନା କରି ଏକ ଟ୍ବିଟ୍‌ରେ ସେ କହିଥିଲେ- ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଚାମ୍‌ଚାଗିରି’ରେ ସାମିଲ। କୌଣସି ବି ରାଷ୍ଟ୍ର ଦ୍ରୌପଦୀ ମୁର୍ମୁଜୀଙ୍କ ଭଳି ରାଷ୍ଟ୍ରପତି ପାଇବା ଉଚିତ ନୁହେଁ। ଚାମ୍‌ଚାଗିରିର ମଧ୍ୟ ଏକ ସୀମା ଅଛି। ୭୦ ପ୍ରତିଶତ ଲୋକ ଗୁଜରାଟ ଲୁଣ ଖାଉଥିବା ସେ କହିଛନ୍ତି। ଯଦି ତୁମେ ନ‌ିଜେ ଲୁଣ ଖାଇ ବଞ୍ଚିବ ତାହେଲେ ଜାଣିପାରିବ।’ ଉଦିତ ରାଜଙ୍କ ଏହି ବୟାନ କଂଗ୍ରେସର ଅଡ଼ୁଆ ବଢ଼ାଇ ଦେଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ସୋମବାର ଗାନ୍ଧୀନଗରରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଦେଶର ୭୬% ଲୁଣ ଗୁଜରାଟରେ ଉତ୍ପାଦନ ହେଉଛି ଏବଂ କହିବାକୁ ଗଲେ ରାଜ୍ୟରେ ପ୍ରସ୍ତୁତ ଲୁଣ ପ୍ରାୟ ସବୁ ଭାରତୀୟ ବ୍ୟବହାର କରନ୍ତି। ଦେଶର ଲବଣ ଶିଳ୍ପକୁ ଗୁଜରାଟର ଅବଦାନ ସମ୍ପର୍କରେ ଉଲ୍ଲେଖ କରି ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଉଦିତ ରାଜ ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି।

Advertisment

ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ନେତା ଉଦିତ ରାଜଙ୍କ ଏଭଳି ଟ୍ବିଟ୍‌କୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା କଂଗ୍ରେସର ସଂକୀର୍ଣ୍ଣ ମାନସିକତା ବୋଲି କହିଛି। ଏହି ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି କାହିଁକି ଉଦିତ ରାଜଙ୍କୁ ପ୍ରଶ୍ନ କରୁନାହାନ୍ତି ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ପ୍ରଶ୍ନ କରିଛନ୍ତି। ଏଭଳି ଆଦିବାସୀ ବିରୋଧୀ ମାନସିକତା ସହିତ ସୋନିଆଙ୍କ ମାନସିକତା ମଧ୍ୟ ମେଳ ଖାଉଛି ବୋଲି ସେ କହିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ନେତା ଉଦିତ ରାଜଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର ହୋଇଥିବା ଶବ୍ଦ ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁର୍ଭାଗ୍ୟଜନକ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବି ପୂର୍ବରୁ ଏଭଳି ଶବ୍ଦ ବ୍ୟବହାର କରିଛନ୍ତି ବୋଲି ସମ୍ବିତ କହିଛନ୍ତି।

ଇତି ମଧ୍ୟରେ ଏନ୍‌ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍‌) ମୁଖ୍ୟ ରେଖା ଶର୍ମା ଉଦିତ ରାଜଙ୍କ ଟିପ୍ପଣୀକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ରେଖା ଶର୍ମା କହିଛନ୍ତି, କମିସନ କଂଗ୍ରେସ ନେତାଙ୍କୁ ଏକ ନୋଟିସ୍‌ ପଠାଇଛି ଏବଂ ମାମଲାରେ ତାଙ୍କଠାରୁ ଜବାବ ମାଗିଛି। ଉଦିତ ତାଙ୍କ ଅପମାନଜନକ ଟିପ୍ପଣୀ ପାଇଁ କ୍ଷମା ମାଗିବା ଉଚିତ ବୋଲି ରେଖା ଶର୍ମା କହିଛନ୍ତି। ନିଜ ବିବାଦୀୟ ଟ୍ବିଟ୍‌ ନେଇ ଉଦିତ ରାଜ କହିଛନ୍ତି, ରାଷ୍ଟ୍ରପତିଙ୍କ ବିରୋଧରେ ସେ ଦେଇଥିବା ଟିପ୍ପଣୀ ତାଙ୍କର ବ୍ୟକ୍ତିଗତ ମତ। ଏହା ତାଙ୍କ ଦଳର ମତ ନୁହେଁ। ଏହା ସହିତ ସେ ପୁଣି ରାଷ୍ଟ୍ରପତିଙ୍କୁ ସମାଲୋଚନା କରି କହିଛନ୍ତି ଯେ ଆଦିବାସୀଙ୍କ ନାମରେ ପଦ ହାସଲ ହେଉଛି, କିନ୍ତୁ ଆଦିବାସୀଙ୍କ ସ୍ଥିତି ବଦଳୁନାହିଁ।